ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ସମୀକ୍ଷା କଲେ ଜିଲ୍ଲାପାଳ।

ଢେଙ୍କାନାଳ,(ବସୁନ୍ଧରା) : ଆଜି ଜିଲ୍ଲା କାର୍ଯ୍ୟାଳୟ ଓସାନ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାର କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି । ଆଗାମୀ ଦିନରେ ଶିଶୁମାନେ କୋଭିଡରେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଅଭିଭାବକମାନେ ନିଜର ପିଲାମାନଙ୍କ ସ୍ବାସ୍ଥ୍ୟପ୍ରତି ଅଧୁକ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ସ୍ୱାସ୍ଥ୍ୟ କର୍ମୀ , ଅଙ୍ଗନବାଡି କର୍ମୀ , ଆଶାକର୍ମୀମାନେ ମଧ୍ୟ ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସଜାଗ ରହିବାକୁ କହିଛନ୍ତି । ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ସମ୍ପ୍ରତି ହାଇ ସ୍କୁଲକୁ ଆସୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ / ଶିକ୍ଷୟତ୍ରୀମାନଙ୍କ ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ କରିବାକୁ ଏବଂ କୋଭିତ ନିୟମ ଅନୁପାଳନ ପୂର୍ବକ ଶିକ୍ଷାଦାନର ବ୍ୟବସ୍ଥା କରିବାକୁ କହିଛନ୍ତି । ସେପ୍ଟେମ୍ବର ୫ ତାରିଖ ( ଗୁରୁଦିବସ ) ପୂର୍ବରୁ ଶିକ୍ଷକ / ଶିକ୍ଷୟତ୍ରୀମାନଙ୍କୁ ଟୀକା ପ୍ରଦାନର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ତୃତୀୟ ସହରର ଉଚିତ ମୁକାବିଲା ନିମନ୍ତେ ବିଡିଓ , ତହସିଲଦାର , ସିଡିପିଓମାନେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସଚେତନତା କରିବାକୁ ପରାମର୍ଶ ଦେବା ସହ କୋଭିତ ପ୍ରୋଟୋକଲ ଅନୁପାଳନର ଯାଞ୍ଚ ପ୍ରକ୍ରିୟା ଚାଲୁ ରଖୁକୁ କହିଛନ୍ତି । ନିୟମିତ ଭାବେ ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ହେଲେ ସଂକ୍ରମିତମାନେ ଚିହ୍ନଟ ହେବା ସହିତ ସଂକ୍ରମଣକୁ ରୋକା ଯାଇ ହ୍ରାସ କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ସେଥିପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଜିଲ୍ଲାରେ ହେଉଥିବା ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ଓ ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା , ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ଡି.ପି.ଏମ , ଏନଏଚଏମ , ସୋନାଲୀ ପ୍ରିୟଦର୍ଶିନୀ ବୈଠକରେ ଅବଗତ କରାଇବା ସହ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୫ ଲକ୍ଷ ୪୨ ହଜାରରୁ ଅଧୁକ ଲୋକଙ୍କୁ ଟୀକା ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିଥିଲେ । ଏହି ଭିସି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ , ମେଡ଼ିକାଲ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ଜୟକୃଷ୍ଣ ନାୟକ , ଆପତକାଳୀନ ଅଧିକାରୀ ଶ୍ରୀ ସୃତି ରଞ୍ଜନ ମହାପାତ୍ର , ଏନଏଚଏମ , ଡି.ପି.ଏମ. , ସୋନାଲୀ ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × 2 =