କୃଷକ, କଳାକାର, ପାର୍ଲର ଜିମ୍ ମାଲିକଙ୍କ ମିଳିତ ବିକ୍ଷୋଭ।

ଭଦ୍ରକ,(ବସୁନ୍ଧରା) : ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଗାନ୍ଧୀ ପଡ଼ିଆରୁ କଳାକାର, କୃଷକ, ପାର୍ଲର ମାଲିକ, ଜିମ୍ ମାଲିକ ମିଳିତ ହୋଇ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ଉମାକାନ୍ତ ରାଉତ୍ ଉଦବୋଧନ ଦେଇ ଗୋଟିଏ ଗଣତାନ୍ତ୍ରୀକ ରାଷ୍ଟ୍ରରେ ଦୁଇ ପ୍ରକାର ଆଇନ ଚାଲିବା ଦୁର୍ଭାଗ୍ୟଜନକ । କିଛି ବର୍ଗକୁ କୋଭିଡ ସହାୟତା ମିଳିଥିବାବେଳେ, ଆଉ କେତେକ ଏଥିରୁ ବଞ୍ଚିତ ହୋଇଛନ୍ତି । ଜନତା ଯେତେବେଳେ, ପ୍ରତିକ୍ରିୟାଶୀଳ ନ ହେବେ, ସେତେବେଳେ ଶାସକ ଅଂହକାର ଓ ଦୁର୍ନିତଗ୍ରସ୍ତ ହୋଇ ପଡ଼ିଥାଏ । ଏବେ ରାଜ୍ୟରେ କଳାକାର, ପାର୍ଲର ମାଲିକ, ଜିମ୍ ମାଲିକ, କୃଷକ ଦାରିଦ୍ର‌୍ୟର କଷାଘାତ ମଧ୍ୟରେ ତ୍ରାହିତ୍ରାହି ଡାକ ଛାଡ଼ୁଛନ୍ତି । ସରକାର ସମ୍ବିଧାନର ୨୧ ଧ।।ରା ଅନୁଯାୟୀ ଲୋକଙ୍କୁ ଜୀବିକା ଯୋଗାଇ ପାରୁ ନାହାନ୍ତି । ଏହି ପରିପ୍ରେକ୍ଷୀରେ ସଂଘର ଆକଳନ ଅନୁଯାୟୀ ଆମେ ୧୧ଶହ କୋଟିର ପ୍ୟାକେଜ ଦାବି କରୁଛୁ । ଏହି ଦାବି ନମାନିଲେ, ଆଗାମୀ ଦିନରେ ଲଢ଼େଇ ଜୋରଦାର ହେବ ବୋଲି ଶ୍ରୀ ରାଉତ୍ ଚେତାବନୀ ଦେଇଥିଲେ । କଳାକାର ସଂଘର ଜିଲ୍ଲା ସଭାପତି ସଂଜୟ କୁମାର ପଣ୍ଡା, ସମ୍ପାଦକ ଗୋପବନ୍ଧୁ ମହାନ୍ତି, ପାର୍ଲର ସଂଘର ଅଞ୍ଜନା ମିଶ୍ର, ସଂଜୁଲତା ବେହେରା, ରିନା ମହାପାତ୍ର, ଜଗନ୍ନାଥ କଳାକାର ମହାସଂଘର ସଂପାଦକ କୁମାର ଗୌତମ, ନବ ନିର୍ମାଣ ଶ୍ରମିକ ସଂଗଠନର ଜିଲ୍ଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ଛାତ୍ର ସଭାପତି ଜାହିର ଖାନ୍ ପ୍ରମୁଖ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଥିଲେଯେ, ଆମେ କେବେ ସରକାରଙ୍କ ଠାରୁ ରିଲିଫ ଆଶା କରିନଥିଲୁ । କିନ୍ତୁ ଲକଡାଉନ ପାଇଁ ଆମର ଜିବୀକା ବିପର୍ଯ୍ୟସ୍ତ ହେଲା । ତେଣୁ ଏହି ସମୟରେ ସରକାର କୋଭିଡ ସହାୟତା କଥା ଭୂଲିଯିବା ପରିତାପର ବିଷୟ ବୋଲି କହିଥିଲେ । ଏହି ଅବସରରେ ବହୁ ସଂଖ୍ୟକ କଳାକାର, ଜିମ୍ ଓ ପାର୍ଲର ମାଲିକ ଲକ୍‌ଡାଉନ ସମୟରେ ସେମାନଙ୍କ କରୁଣ ଅନୁଭୂତି ବର୍ଣ୍ଣନା କରିଥିଲେ । ଆଗାମୀ ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ, ଆନ୍ଦୋଳନ ସମଗ୍ର ରାଜ୍ୟକୁ ବ୍ୟାପିବ ବୋଲି ସେମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରଜ ପାଣୀ, ପଦ୍ମନାଭ ରାଉତ, ପୂଜାରାଣୀ ବିଶ୍ୱାଳ, ସ୍ୱାଗତିକା ପଣ୍ଡା, ଯଶୋଦା ରାଉତ୍‌, କ୍ରିଷ୍ଣା ରାଉତ୍‌, କୃଷକ ସଂଗଠନର ପିତବାସ ମହାନ୍ତି, ରବୀନ୍ଦ୍ର ପଣ୍ଡା, ପ୍ରଭାତ ମହାଳିକ, କୃର୍ଷ୍ଣଚନ୍ଦ୍ର ବିଶ୍ୱାଳ. ଗଗନ ମହାନ୍ତି, ସଦମା ଖାନ, ଜାନ ଖାନ, ସାହେବୁର ରହେମାନ, ସେଖ ସାଜିଦ, ଛାତ୍ର ସଂଗଠନର ଶୁଭସ୍ମିତା ବିଶ୍ୱାଳ, ମଲ୍ଲିକା ନାଜ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.

five × 4 =