ଜମି ଚିହ୍ନଟ ବିବାଦ ସରୁନି; ବିଜୁ ସେତୁ କାର୍ଯ୍ୟକ୍ଷମ ହେଉନି।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ ସେତୁ ନିର୍ମାଣ ହୋଇଛି । ମାତ୍ର ଏଥିନେଇ ଲାଗି ରହିଥିବା ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆ ଯାଇ ନଥିବାରୁ ସେତୁ କାର୍ଯ୍ୟ ସମାପ୍ତି ହୋଇଥିଲେ ସୁଦ୍ଧା ରାସ୍ତା ସଂଯୋଗୀକରଣ(ଆପ୍ରୋଚ ରୋଡ଼) ନିର୍ମାଣ ଆଉ ଏକ ସମସ୍ୟା ରୂପେ ଠିଆ ହୋଇଛି । ଏହି ରୋଡ଼ ନିର୍ମାଣକୁ ନେଇ କ୍ଷତି ଗ୍ରସ୍ତ ପରିବାରଙ୍କ ଅଭିଯୋଗ ପରେ ଗତ ମାସ ୧୨ ତାରିଖରେ ପ୍ରଶାସନିକ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆଲୋଚନା କରିଥିଲେ ଏବଂ ପରେ ସେହିମାସ ୨୭ ତାରିଖରେ ବନ୍ତ ତହସିଲଦାର ଇନ୍ଦିରା ସାହୁ,କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କିଶୋର ଖଟୁଆ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ପୋଲିସଙ୍କ ଉପସ୍ଥିତିରେ ଉକ୍ତ ରୋଡ଼ ନିର୍ମାଣ ପାଇଁ ଜମି ଚିହ୍ନଟ କରାଯାଇ ମାପ କରାଯାଇଥିଲା । ସୂଚନା ଅନୁଯାୟୀ; ଇତି ମଧ୍ୟରେ ପ୍ରଭାବିତ ଜମି ମାଲିକଙ୍କୁ ପ୍ରଶାସନ ପକ୍ଷରୁ ସହମତି ପ୍ରଦାନ ପାଇଁ ଚିଠି ହୋଇଥିବା ଜଣା ପଡ଼ିଛି । ତେଣୁ ଜମି ଚିହ୍ନଟ ପରେ ପ୍ରଭାବିତ ଜମି ମାଲିକଙ୍କୁ ତାଙ୍କ କ୍ଷତି ପୂରଣ ପ୍ରଦାନ କରି କାର୍ଯ୍ୟାରମ୍ଭ କରିବାକୁ ସାଧାରଣରେ ଦାବି ହୋଇଛି । ଟିକିରା-ଶ୍ରୀରାମପୁର ଅଂଚଳର ପ୍ରମୁଖ ବ୍ୟବସାୟୀକ କେନ୍ଦ୍ର ଆଗରପଡ଼ା କିନ୍ତୁ ସାଳନ୍ଦୀ ନଦୀ ଏଥି ପାଇଁ ବାଧକ ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ଦାବି ଫଳରେ ସ୍ୱର୍ଗତ ତତ୍କାଳିନ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଓ ବିଧାୟକଙ୍କ ସହଯୋଗରେ ବିଜୁ ସେତୁ ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କାର ପ୍ରକଳ୍ପ ମଂଜୁର ହୋଇଥିଲା । ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରୁ ଅବଧି ସରିବାର ବହୁ ବିଳମ୍ବରେ ସେତୁ କାର୍ଯ୍ୟ ସମାପ୍ତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ରାସ୍ତା ସଂଯୋଗୀକରଣ(ଆପ୍ରୋଚ ରୋଡ଼) ନିର୍ମାଣ ଆଉ ଏକ ସମସ୍ୟା ରୂପେ ଠିଆ ହୋଇଛି । ଶ୍ରୀରାମପୁରକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣାଧିନ ଥିବାବେଳେ ଟିକିରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ନେଇ ଦେଖା ଦେଇଥିବା ସମସ୍ୟାର ସମାଧାନ ହୋଇପାରିନାହିଁ । ଶ୍ରୀରାମପୁର, ସାହୁପଡ଼ା, ଗୋପୀନାଥପୁର, ମାର୍କଣ୍ଡପୁର ଆଦି ଗ୍ରାମବାସୀମାନେ ସେତୁ ନିର୍ମାଣ ହୋଇନଥିବାରୁ ଯାତାୟାତ କରିବାରେ ନାନାଦି ଦୁର୍ଦ୍ଦଶାଦେଇ ଗତି କରୁଛନ୍ତି । ସ୍ଥାନୀୟ ନେତା, ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ପ୍ରାୟ ସମସ୍ତ ଉନ୍ନୟନ କାର୍ଯ୍ୟ ଚାଲୁଥିବାରୁ ଅବଧି ଶେଷ ପରେ ବର୍ଷାଧିକ କାଳ ଅତିକ୍ରମ କରିବା ସହ ବର୍ତ୍ତମାନ ବର୍ଷାଋତୁ ଚାଲୁଥିବାରୁ ଉକ୍ତ କାର୍ଯ୍ୟ ସମ୍ପୁର୍ଣ୍ଣ କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.

5 × 4 =