ବିନା ବିଶେଷଜ୍ଞରେ ଚାଲିଛି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର।

ଭଦ୍ରକ,(ବସୁନ୍ଧରା) : ଇତି ମଧ୍ୟରେ ଆଗରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଟିକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇବାର ୨୯ବର୍ଷ ବିତିଯାଇଥିଲେ ସୁଦ୍ଧା ଏଠାରେ ଲାଗି ରହିଥିବା ସମସ୍ୟାର ସମାଧାନ ପ୍ରତି ନିର୍ବାଚିତ ଲୋକ ପ୍ରତିନିଧି କିମ୍ବା ବିଭାଗୀୟ ଅଧିକାରୀ କେହି ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ କେବଳ ଏହି ବ୍ଲକର ୨୫ଗୋଟି ପଂଚାୟତ ବାସୀଙ୍କ ସମେତ ପଡ଼ୋଶୀ କେନ୍ଦୁଝର ଜିଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀମାନେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି । ଏହାକୁ ଆଖି ଆଗରେ ରଖି ସରକାର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ୨୦୧୬ ମସିହାରେ ଏଫଆରୟୁ ମାନ୍ୟତା ପ୍ରଦାନ କରିଥିଲେ । ଜିଲାରେ ୨ଗୋଟି ଏଫଆରୟୁ ମାନ୍ୟତା ପାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିରୁ ଏହା ଅନ୍ୟତମ । ଏଠାରେ ପ୍ରକାଶ ଥାଉକି ଶିଶୁ ବିଭାଗର ବିଶେଷଜ୍ଞ ବର୍ତ୍ତମାନ ସ୍ୱାସ୍ଥ୍ୟକେନ୍ଦ୍ର ଭାରାପ୍ରାପ୍ତ ଅଧିକାରୀ ଦାୟୀତ୍ୱରେ ରହିଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ,ଅସ୍ତ୍ରୋପଚାର ଓ ମେଡ଼ିସିନ ବିଭାଗରେ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି । ୪ଜଣ ଏମବିବିଏସ ଡ଼ାକ୍ତର ନିଯୁକ୍ତି ପାଇଥିବା ସ୍ଥଳେ ଆୟୁଷ ଡ଼ାକ୍ତର ଓ ଫାର୍ମାସିଷ୍ଟ ରୋଗୀ ସେବା କରୁଥିବାରୁ ରୋଗୀମାନେ ଠିକ୍ ଭାବେ ସେବା ପାଉନଥିବାର ଅଭିଯୋଗ ହେଉଛି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏଫଆରୟୁ ମାନ୍ୟତା ପାଇଥିବାରୁ ୩୨ଟି ରୋଗୀ ଶଯ୍ୟା ଥିବା ବଦଳରେ ୧୬ଟି ରହିଛି । ଯଦ୍ଦ୍ୱାରା ରୋଗୀମାନେ ଅଧିକାଂଶ ସମୟରେ ବାରଣ୍ଡାରେ ଚିକିତ୍ସିତ ହୋଇଥାନ୍ତି । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ନିର୍ମିତ ଗୋଟିଏ ଦ୍ୱିତଳ ବିଶିଷ୍ଟ ଓ ଆଉ ଗୋଟିଏ ଜୋଠାଗୃହ କାର୍ଯ୍ୟକ୍ଷମ ନହୋଇ ଚାବି ପଡ଼ି ରହିଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିବିସି ମେସିନ ଉପଲବ୍ଧ ଥିବା ବେଳେ କେଉଁ କାରଣରୁ ରୋଗୀ ମାନଙ୍କୁ ବାହାରେ ପରୀକ୍ଷା କରିବାକୁ କୁହାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ରହିଥିଲେ ସୁଦ୍ଧା ଏହାର ସୁରକ୍ଷା ପାଇଁ କୈାଣସି ବ୍ୟବସ୍ଥା ନାହିଁ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ବିଭିନ୍ନ ମୂଲ୍ୟବାନ ସରଞ୍ଜାମମାନ ରହିଛି । ମାତ୍ର ଏହାକୁ ଜଗିବା ପାଇଁ ସୁରକ୍ଷା କର୍ମୀମାନେ ୨୪ ଘଣ୍ଟିଆ ଡ଼୍ୟୁଟି କରୁଥିଲେ ସୁଦ୍ଧା ଗତ ୨୦୧୪ ମସିହା ଠାରୁ ଏହି ବ୍ୟବସ୍ଥା ନାହିଁ ବୋଲି ଜଣାପଡ଼ିଛି । ସୁରକ୍ଷା କର୍ମୀ ନଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ବାଇକ୍ , ସାଇକେଲ ରହିବା ଫଳରେ ଆମ୍ବୁଲାନ୍ସ କିମ୍ବା ଅନ୍ୟାନ୍ୟ ରୋଗୀ ଆସୁଥିବା ବାଇକ ଓ ଯାନବାହାନ ଗୁଡ଼ିକ ଯାଆଆସ କରିବାରେ ସମସ୍ୟା ସୃଷ୍ଟି ହେବା ସହ ରୋଗୀ ଟିକେଟ କାଉଣ୍ଟର ସମ୍ମୁଖରେ କୌଣସି ଛାଉଣୀ ବ୍ୟବସ୍ଥା ନଥିବାର ପରିଲକ୍ଷିତ ହେଉଛି । ଯଦ୍ୱାରା ରୋଗୀମାନେ ଖରାବର୍ଷାରେ ଘଣ୍ଟାଘଣ୍ଟା ଧରି ଠିଆ ହେଇଛନ୍ତି । କୋଭିଡ଼ ପରି ମହାମାରୀ ସମୟରେ ଉକ୍ତ ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

5 × three =