ଭଦ୍ରକାଳୀ ଲାୟନସ୍ କ୍ଳବର ପ୍ରତିଷ୍ଠା ଦିବସ।

ଭଦ୍ରକ,(ବସୁନ୍ଧରା): ଭଦ୍ରକାଳୀ ଲାୟନସ୍ କ୍ଳବର ସଦସ୍ୟମାନେ କ୍ଳବର ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବେ ଭଦ୍ରକର ଦଇସିଂ ଠାରେ ଅବସ୍ଥିତ କଳ୍ପନା ଦେବୀ ଚାରିଟେବଲ୍ ଟ୍ରଷ୍ଟ ଦ୍ୱାରା ପ୍ରତିଷ୍ଠିତ ଜରାଶ୍ରମରେ ପାଳନ କରିଛନ୍ତି । ପ୍ରକୃତିର ସୁରକ୍ଷା ନିମନ୍ତେ ପ୍ରଥମେ ଜରାଶ୍ରମର ବିସ୍ତୃତ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ମୂଲ୍ୟବାନ ଚାରା ରୋପଣ କରାଯାଇଥିଲା । ଏହାପରେ ଜରାଶ୍ରମର ଅନ୍ତେବାସୀଙ୍କ ସହ କ୍ଳବର ସଦସ୍ୟମାନେ ଭୋଜନ କରିଥିଲେ । କ୍ଳବର ଜନ୍ମ ଦିନକୁ ପାଳନ କରିବା ପାଇଁ ଏହା ଥିଲା ଏକ ଅଭିନବ ସଂକଳ୍ପ । ଏହି ଅବସରରେ କ୍ଳବର ସଦସ୍ୟ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ କହିଥିଲେ – ଆଜିର ସମୟରେ ପ୍ରକୃତିର ସନ୍ତୁଳନ ଏକାନ୍ତ ଆବଶ୍ୟକ । ମଣିଷ ନିଜର ସ୍ୱାର୍ଥ ସାଧନ ନିମନ୍ତେ ପ୍ରକୃତିକୁ ଯେଭଳି ଭାବେ ଧ୍ୱଂସ କରୁଛି, ସେ ଜାଣି ପାରୁନି, ସେ ନିଜେ ନିଜକୁ ବିନାଶ ଆଡକୁ ଟାଣି ଆଣୁଛି । ଏହାର ଏକମାତ୍ର ସମାଧାନ ହେଉଛି ପ୍ରକୃତିକୁ ପୁଣି ଗଢ଼ି ତୋଳିବା । ସେଥି ନିମନ୍ତେ ବୃକ୍ଷରୋପଣ ଆମ ସମସ୍ତଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମରେ ପରିଣତ ହେବା ଉଚିତ । କ୍ଳବର ଅନ୍ୟତମ ସଦସ୍ୟ ସତ୍ୟେନ୍ଦ ରାୟ ମହାପାତ୍ର ଜରାଶ୍ରମ ପରିଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଥିଲେ । ଏଠାରେ ସୂଚନାଯୋଗ୍ୟ, ଚଳିତ ବର୍ଷ ଠାରୁ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଭଦ୍ରକାଳୀ ଲାୟନ୍ସ୍ କ୍ଳବ ଏହି ଜରାଶ୍ରମକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛି । ତେଣୁ ନିୟମିତ ବ୍ୟବଧାନରେ କ୍ଳବର ସଦସ୍ୟମାନେ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରୁଛନ୍ତି ଏବଂ ଅନ୍ତେବାସୀମାନେ ସେମାନଙ୍କ ପରିବାର ଅଂଶ ବୋଲି ଘୋଷଣା କରୁଛନ୍ତି । ଏହି ଅବସରରେ କ୍ଳବର ସଦସ୍ୟ ବୈଲୋଚନ ବେହେରା, ପ୍ରଭାତ କୁମାର ଧଳ, ଅମର ମହାନ୍ତି, ସଂଜୀବ ନାୟକ, ଜିତେନ୍ଦ୍ର ପଣ୍ଡା, ମିଥୁନ ନାୟକ,ଦିଲ୍ଲୀପ ନାୟକ,ତିଳୋତ୍ତମା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

twenty + eleven =