ବାଡ ଯଦି ଫସଲ ଖାଏ ସୁରକ୍ଷା ଦେବ କିଏ, କିଶନନଗର ଥାନା ପରିସରରୁ ଗଛ ଚୋରି।

କିଶନନଗର,(ବସୁନ୍ଧରା) : କିଶନନଗର ଥାନା ପରିସରରେ ଥିବା ପ୍ରାୟ ୩-୪ଫୁଟ ଗୋଳେଇ ର କେତେକ ଦେବଦାରୁ,ଏକ ଶାଗୁଆନ  ଓ ଅନ୍ୟାନ୍ୟ ଗଛ ଚୋରି ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଏହି ଘଟଣା କିଶନନଗର ପୁଲିସର ଅସଲ ଚେହେରାକୁ ପଦାରେ ପକାଇଛି।
ଅନ୍ୟପଟେ ଶାଗୁଆନ କାଠ ଗଣ୍ଡି ଥାନା ପରିସରରେ ପଡି ରହିଥିବା ବେଳେ ଅନ୍ୟ କାଠ ଗୁଡିକ ର ପତ୍ତା ମିଳୁନାହିଁ। କେବଳ ମୂଳ ଯାହା ରହିଛି। ଅନ୍ୟପଟେ ଏହି କାଠ ଥାନା ପଛପଟ ଗେଟ ଦେଇ  ବାହାରକୁ କଢ଼ା ଯାଇଥିବା ଓ ସେଗୁଡିକୁ ଟ୍ରାକ୍ଟର ରେ ଲଦି କେଉଁଆଡ଼େ ନିଆଯାଇଥିବା  ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଥାନା ପରିସରରେ ଜଙ୍ଗଲିଆ ପରିବେଶ ସୃଷ୍ଟି କରୁଥିବା କିଛି ଛୋଟ ଗଛ ସଫା କରା ଯାଇଥିବା ଆଇଆଇସି ସସ୍ମିତା ରଣା କହିଛନ୍ତି।  ଥାନା ପରିସରକୁ ସଫା କରାଯିବା ଆଳରେ ଯେଉଁଭଳି ଭାବେ ଜୀବନ୍ତ ଗଛ କାଟି ଦିଆଗଲା ତାହା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଛି। ଅନ୍ୟପଟେ ଗଛ କାଟିବା ପାଇଁ ବନ ବିଭାଗର ଅନୁମତି ଆବଶ୍ୟକ ରହିଛି। ତେବେ ଏଠାରେ ବନ ବିଭାଗର ଅନୁମତି ନିଆଯାଇ ନଥିବା ଜଣାପଡିଛି। ତେବେ କାହା ଅନୁମତିରେ ଓ କେଉଁ ପରିସ୍ଥିତିରେ ଥାନା ପରିସରରୁ ଜୀବନ୍ତ ଗଛ କଟାଗଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।ପରିବେଶ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ର ମୁକାବିଲା ପାଇଁ ବୃକ୍ଷ ରୋପଣ ଏକ ମାତ୍ର ବିକଳ୍ପ ହୋଇପଡି ଥିବା ବେଳେ ସରକାରୀ ଜାଗାରେ ଥିବା ଏହି ଗଛ ଗୁଡିକ କାହା ସ୍ୱାର୍ଥ ରେ କଟାଗଲା ବୋଲି ପ୍ରଶ୍ନ ଉଠିଛି। ବାଡ଼ ଯଦି ଫସଲ ଖାଏ ସୁରକ୍ଷା ଦେବ କିଏ ବୋଲି ଏବେ ଲୋକ କୁହାକୁହି ହେଉଛନ୍ତି ।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।
 
 
 

Leave A Reply

Your email address will not be published.