ମୋ ପୋଖରୀ ବକେୟା ଅର୍ଥ ମିଳିବା ବିଳମ୍ବ ଦାବିରେ ସିପିଆଇର ଗଣଧାରଣା।

ଭଦ୍ରକ,(ବସୁନ୍ଧରା) :କେନ୍ଦ୍ର ଓ ରାଜ୍ୟ ସରକାର କୃଷକଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବାର ଡ଼ିଣ୍ଡିମ ପିଟୁଥିବା ବେଳେ ବାସ୍ତବିକ କ୍ଷେତ୍ରରେ ତାହା ରୂପାୟିତ ହୋଇପାରୁ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏମଜିଏନଆରଇଜିଏସ ଯୋଜନାରେ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ବନ୍ତ ବ୍ଳକରେ ହିତାଧିକାରୀ ମାନଙ୍କୁ ମୋ ପୋଖରୀ ଯୋଗାଇ ଦିଆଯାଇଥିଲା । ହିତାଧିକାରୀମାନେ ଏହି ଯୋଜନାରେ କାର୍ଯ୍ୟ ସଂମ୍ପୂର୍ଣ୍ଣ କରିଥିଲେ ବି ଅଦ୍ୟାବଧି ବକେୟା ଅର୍ଥ ପାଇ ପାରୁ ନାହାନ୍ତି । ବହୁ ଅଭିଯୋଗ ପରେ ଆଜି ସିପିଆଇ ଦଳ ପକ୍ଷରୁ ଆଗରପଡ଼ା ନିକଟସ୍ଥ ବଡ଼ମହିିଁଷଗୋଠ ରାଜୀବସେବା କେନ୍ଦ୍ର ସମ୍ମୁଖରେ ଏହି ସମସ୍ୟାକୁ ନେଇ ଏକ ଗଣଧାରଣା ଦିଆଯାଇଥିଲା । ଏ ବିଷୟରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଏହି ଯୋଜନାରେ ହିତାଧିକାରୀ ଏବଂ ଜବକାର୍ଡ଼ଧାରୀ ଅଦ୍ୟାବଧି ବକେୟା ଅର୍ଥ ପାଇପାରିନଥିବାରୁ ତୀବ୍ର ଅସନ୍ତାଷ ପ୍ରକାଶ ପାଇଥିଲା । ମୋ ପୋଖରୀ ଖୋଳିବା ବେଳେ ଜିଓ ଟ୍ୟାକ୍ ଓ ଏସ ଟ୍ୟାକ୍ ପେପର ପାଇଁ ବିଭାଗର ଜନୈକ କର୍ମଚାରୀଙ୍କୁ ପି.ସି ନଦେଲେ ବକେୟ ଅର୍ଥ ମିଳିବ ନାହିଁ ବୋଲି ହିତାଧିକାରୀ ମାନେ ଅଭିଯୋଗ କରିଥିଲେ । ବ୍ଲକର ଅନ୍ୟ ପଞ୍ଚାୟତ ଗୁଡ଼ିକରେ ହିତାଧିକାରୀମାନେ ଏହି ଅର୍ଥ ପାଇ ସାରିଥିବା ବେଳେ ବଡ଼ମହିଁଷଗୋଠ ପଞ୍ଚାୟତର ହିତାଧିକାରୀମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି ବୋଲି ଅଭିଯୋଗ ହୋଇଥିଲା । ଖବର ପାଇ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗର ଉପ-ନିର୍ଦ୍ଦେଶକ ମହିତୋଷ ଦାଶ, ସହକାରୀ ଯନ୍ତ୍ରୀ ଗିରିବେଶ ପଣ୍ଡା, ଏସସିଇଡ଼ବ୍ଲ୍ୟୁ ସତ୍ୟନାରାୟଣ ବେହେରା,ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ରବିନାରାୟଣ ମହାନ୍ତି, ଅଣିଜୋ ସରପଞ୍ଚ ଜଗବନ୍ଧୁ ବେହେରା ଧାରଣାସ୍ଥଳରେ ପହଞ୍ଚି ଧାରଣାକାରୀଙ୍କ ସହିତ ଆଲୋଚନା କରିଥିଲେ । ହିତାଧିକାରୀ କୈଳାସ ଯେନା ମୋଟ ୧୮ ହଜାର ଟଙ୍କା ପାଇଥିବା ବେଳେ ତାଙ୍କ ନାମରେ ୫୪ ହଜାର ଟଙ୍କା ଉଠାଣ ହୋଇଛି ବୋଲି ଦର୍ଶାଯାଇ ଥିବାର ଅଭିଯୋଗ କରିଥିଲେ । ସମସ୍ତ ବିଷୟରେ ଅବଗତ ହୋଇ ଆସନ୍ତା ୧ ସପ୍ତାହ ମଧ୍ୟରେ ସଂପୃକ୍ତ ହିତାଧିକାରୀ ମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ । ଏହି ଧାରଣାରେ ସିପିଆଇ ଜିଲ୍ଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଅଭିମନ୍ୟୁ ଯେନା, କୈଳାସ ଯେନା, ଶ୍ୟାମସୁନ୍ଦର ଦାସ, ସୁରେନ୍ଦ୍ର ରାଉତ, ଦିନକୃଷ୍ଣ ମିଶ୍ର, ଅରୁଣ ରାଉତ, ଉମାକାନ୍ତ ମହାପାତ୍ର, ଫକିର ବେହେରା, ରମେଶ ଯେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.