୫୧୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ; ଜଣେ ଗିରଫ ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଏରେଇଁ ଅଂଚଳର ଜଣେ ଯୁବକକୁ ଜଳେଶ୍ୱରରୁ ବ୍ରାଉନସୁଗାର ନେଇ ଆସୁଥିବାବେଳେ ଗିରଫ କରାଯାଇଛି । ଏ ସଂପର୍କରେ ଆଜି ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଗ୍ରାମାଞ୍ଚଳ ଥାନାରେ ଏସ୍‌ଡିପିଓ ସାର୍ଥକ ରାୟ ଓ ଥାନାଧିକାରୀ ଆଲୋକ ଜେନାଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ୧୬ନଂ ଜାତୀୟ ରାଜପଥର ଧାମରା ରେଳ ଓଭରବ୍ରିଜ୍ ନିକଟରେ ଗତକାଲି ବିଳମ୍ବିତ ରାତିରେ କୋଭିଡ୍ ଜନିତ ବାଇକ୍ ଅଟକାଇ ଚେକିଂ କରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ । ଚେକିଂ ସମୟରେ ୫୧୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ପଚରାଉଚୁରା ବେଳେ ଅଭିଯୁକ୍ତ ଜଳେଶ୍ୱରରୁ ବ୍ରାଉନସୁଗାର ଆଣୁଥିବା ପୁଲିସ୍‌କୁ ବୟାନ ଦେଇଛି । ତେବେ ଅଭିଯୁକ୍ତ ନିକଟରୁ ମୋବାଇଲ୍ ସହ ଓଆର-୨୨ଡି-୪୬୦୦ ନମ୍ବରର ହିରୋହୋଣ୍ଡା ସିଡି ଡିଲକ୍ସ ବାଇକ୍ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଉଛି ଏରେଇଁ ଅଂଚଳର ସେକ୍ ନିଜାମଙ୍କ ପୁତ୍ର ସେକ୍ ରାବୁଲ ଓରଫ ରାବିବୁଲ (୩୩) । ତେବେ ଅଭିଯୁକ୍ତ ଜଣକ ପୂର୍ବରୁ ବ୍ରାଉନସୁଗାର ବେପାର ସହ ଅନ୍ୟ ମାମଲାରେ ଜଡିତ ରହିଛି । ଭଦ୍ରକ ଟାଉନ୍ ଥାନାରେ ସେକ୍ ରାବୁଲ ନାମରେ ୩ଟି ମାମଲା ରହିଥିବା ବିଷୟ ଭଦ୍ରକ ଏସ୍‌ପି ଶ୍ରୀ ମୀନା ସୂଚନା ଦେଇଛନ୍ତି । ଅଭିଯୁକ୍ତର ଲୋକାଲ କଣ୍ଟାକୁ ଟ୍ରେସିଂ କରାଯାଉଛି । ଜଳେଶ୍ୱରର ମୁଖ୍ୟ ବେପାରୀକୁ ଚିହ୍ନଟ ସହ ଧରିବା ପାଇଁ ପୁଲିସ୍ ବ୍ୟାପକ ଭାବେ ଉଦ୍ୟମ ଜାରି ରଖିଛି । ଗିରଫ ଅଭିଯୁକ୍ତର ଆର୍ଥିକ ମାମଲାର ଛାନଭିନ୍ନ ସହ ଅନ୍ୟ କେଉଁ ବେପାରୀଙ୍କୁ ବ୍ରାଉନସୁଗାର ଯୋଗାଇଥିଲା, ସେ ନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ଏହି ୫୧୦ ଗ୍ରାମ ବ୍ରାଉନ୍‌ସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ୫୧ ଲକ୍ଷ ରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.

15 − 11 =