ବାତ୍ୟା ୟାସ୍‌ ପରେ ପଲିଥିନ୍ ତଳେ ବିତୁଛି ରାତି ଓ ଦିନ ।

ଭଦ୍ରକ,(ବସୁନ୍ଧରା):ଇତିମଧ୍ୟରେ ୟାସ୍ ଜନିତ ବାତ୍ୟା ଛାଡିବାର ୧୨ ଦିନ ବିତିଗଲାଣି । ହେଲେ ସେ ଛାଡି ଦେଇଯାଇଥିବା ଯନ୍ତ୍ରଣାର କ୍ଷତ ଏବେବି ଶୁଖିନି ଏହି ଜିଲାର ବାସୁଦେବପୁର ବ୍ଲକ୍‌ର କେତେକ ବିପନ୍ନଙ୍କ କ୍ଷେତ୍ରରେ । ବାତ୍ୟା ସିନା ଛାଡିଯାଇଛି, ହେଲେ ଘର ଠାରୁ ଗାଁ ଦାଣ୍ଡ ପର୍ଯ୍ୟନ୍ତ ହୋଇଯାଇଥିଲା ଜଳମଗ୍ନ । ସେମାନେ ଉଦ୍ଧାର କରିପାରିଲେନି ନିଜ ନିଜର ଆସବାବ ପତ୍ର ଓ ବର୍ଷକ ପାଇଁ ରଖିଥିବା ଆହାର । କେବଳ ଯାହା ବର୍ଷା ପାଣିରେ ଭିଜି ଯାଇଥିବା ନଡାକୁ ଆଣି ରୋଷେଇ କରୁଛନ୍ତି ଏବେ । ବାତ୍ୟା ୟାସ୍ ଆସିବା ପୂର୍ବଦିନ ଠାରୁ ସ୍ଥାନୀୟ ସରପଞ୍ଚ ସେମାନଙ୍କୁ ଆଣି ସ୍କୁଲ ଘରେ ରଖିଥିଲେ । ହେଲେ ଗୋଟିଏ ଦିନ ରନ୍ଧାଖାଦ୍ୟ ଯୋଗାଇଦେବା ସହ ୧୨ ଖଣ୍ଡ ପଲିଥିନ । ନା ସ୍ଥାନୀୟ ଜନ ପ୍ରତିନିଧି ନା ପ୍ରଶାସନ, ସମସ୍ତେ ନିଦାବିଷ୍ଣୁ ସାଜିଛନ୍ତି ସେମାନଙ୍କ କ୍ଷେତ୍ରରେ । ଯେଉଁ ପଲିଥିନ୍ ଖଣ୍ଡିଏ ଖଣ୍ଡିଏ ଏହି ୧୨ଟି ପରିବାରକୁ ମିଳିଛି, ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । କାହିଁକି ନା ଗୋଟିଏ ପରିବାର ମୁଣ୍ଡ ଗୁଂଜିବା ପାଇଁ ତାହା ନିଅଣ୍ଟ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାସୁଦେବପୁର ବ୍ଲକ୍ ବିଦେଇପୁର ପଂଚାୟତ କଣ୍ଟିଆନାଳି ମୁଖ୍ୟ ରାସ୍ତାରେ । କେତେକ ପରିବାର ରାସ୍ତାପାଶ୍ୱର୍ରେ ଦୁଇଖଣ୍ଡ ବାଉଁଶ ମାଧ୍ୟମରେ ପଲିଥିନ୍ ଘେରାଇ ଦୀର୍ଘ ୧୨ ଦିନ ହେଲା ଖରାବର୍ଷାରେ ରହିଆସୁଛନ୍ତି । ଦିନ ତମାମ୍ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଓ ରାତିରେ କାଳବୈଶାଖୀ ବର୍ଷା ଡରରେ ନିଦ ଆସୁନି ସେମାନଙ୍କ ଆଖିକୁ । ଏବେ ଦୁଇଓଳି ଦୁଇମୁଠା ଖାଇବା ପିଇବାକୁ ମଧ୍ୟ ପାଉନାହାଁନ୍ତି । ରାତିରେ ଶୁଖିଲା ଖାଦ୍ୟ ଖାଇ ଶୋଇବାକୁ ପଡୁଛି । ତେବେ ରାଜ୍ୟ ସରକାର ବନ୍ୟା ବିପନ୍ନ ଲୋକମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଥିବାବେଳେ କାହିଁକି ଯେ ଏହି ଅସହାୟ ପରିବାର ଗୁଡିକ ମୁହଁରେ ଦାନା ମୁଠେ ପଡୁନାହିଁ, ତାହା ବୁଝାପଡୁନାହିଁ । ଏହି ରାସ୍ତା ଦେଇ ବହୁ ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଧାମରା ଗସ୍ତ କରୁଥିବାବେଳେ ଏମାନଙ୍କ ଉପରୁ ନଜର ହଟିଯାଇଛି । ବାତ୍ୟା ୟାସ୍ ସିନା ତାର ତାଣ୍ଡବ ରଚି ଚାଲିଯାଇଛି, ହେଲେ ଏ ଅସହାୟ ପରିବାର କେବେ ଘର ବାହୁଡା ହେବେ, ତାହା ତାଙ୍କୁ ଜଣାନାହିଁ ।

Leave A Reply

Your email address will not be published.