ବାତ୍ୟା ‘ୟଶ’ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ ଭି.ଭି.ଯାଦବ।

ଭଦ୍ରକ,(ବସୁନ୍ଧରା): ବାତ୍ୟା ‘ୟଶ’ର ସୁପରିଚାଳନା ଓ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ପ୍ରସ୍ତୁତିର ବାତ୍ୟା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ରାଜ୍ୟ ଖାଦ୍ୟ, ଯୋଗାଣ, ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଭି.ଭି, ଯାଦବ ଆଜି ଭଦ୍ରକରେ ପହଞ୍ଚିବା ସହ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ବାତ୍ୟା ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର, ସେମାନଙ୍କୁ କୋଭିଡ଼ ନିୟମ ମଧ୍ୟରେ ଥଇଥାନ । ସେମାନଙ୍କ ପାଇଁ ପାନୀୟଜଳ, ବିଦ୍ୟୁତ୍‌, ଶୁଖିଲା ଖାଦ୍ୟ, ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟର ବନ୍ଦୋବସ୍ତ କରିବା ଆଦି ଉପରେ ସୂଚନା ଦେଇଥିଲେ । ବାତ୍ୟା ସମୟରେ ଉଦ୍ଧାର ଏବଂ ଉକ୍ତ ଥଇଥାନ କାର୍ଯ୍ୟ ପାଇଁ ଜିଲ୍ଲା ସ୍ତରୀୟ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆ ଯାଇଛି । ଏହି ଦାୟିତ୍ୱରେ ଧାମରା ପାଇଁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମଧୁସୂଦନ ଦାସ, ବାସୁଦେବପୁର ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ତିହିଡ଼ି ପାଇଁ ଉପଜିଲ୍ଲାପାଳ ପୀତାମ୍ବର ସାମଲ ଏବଂ ଚାନ୍ଦବାଲି ପାଇଁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା ରହିଛନ୍ତି । ବାତ୍ୟା ନିମନ୍ତେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଥିବା ବେଳେ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲା ଯାଇଛି । ଉଦ୍ଧାର କାର୍ଯ୍ୟ ନିମନ୍ତେ ଜିଲ୍ଲାକୁ ଆସିଥିବା ୪ଟି ଏନ୍‌ଡିଆର୍‌ଏପଫ ଟିମ୍‌କୁ ନିର୍ଦ୍ଦିଷ୍ଟ ସ୍ଥାନ ଧାମରା, ତିହିଡ଼ି, ଚାନ୍ଦବାଲି, ବିଦେଇପୁର ପଠା ଯାଇଛି । ସେହିଭଳି ୩ଟି ଓଡ୍ରାଫ୍ ଟିମ୍‌କୁ ତିହିଡ଼ି ବ୍ଲକର ପୀରହାଟ, ବାସୁଦେବପୁର, ଭଦ୍ରକରେ ରଖା ଯାଇଛି । ସେହିଭଳି ୧୧ଗୋଟି ଅଗ୍ନିଶମ ବାହିନୀଙ୍କୁ ପୀରହାଟ, ଦୋଳସାହି, ଆରଡି, ୨ଟି ଟିମ୍ ଧାମରା, ତିହିଡ଼ି, ଧୁଷୁରୀ, ବନ୍ତ, ବାସୁଦେବପୁର ଓ ୨ଟି ଟିମ୍ ଭଦ୍ରକରେ ରଖାଯାଇଛି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବାକୁ ଗୁରୁତ୍ୱ ଦିଆ ଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ବିଦ୍ୟୁତ୍ ସରବରାହକୁ ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ବିଦ୍ୟୁତ ବିଭାଗ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ନେସ୍କୋ ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ଚରଣସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ଅରୁଣ ମହାପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.