ରାଜୀବଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀରେ କଂଗ୍ରେସର ବହୁବିଧ କାର୍ଯ୍ୟକ୍ରମ।

ଭଦ୍ରକ,(ବସୁନ୍ଧରା) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୦ତମ ଶ୍ରାଦ୍ଧ ଦିବସରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାବ୍ୟାପୀ ବହୁବିଧ କାର୍ଯ୍ୟକ୍ରମ କରାଯାଇଛି । ଜିଲ୍ଳାର ସମସ୍ତ ବ୍ଲକ ଓ ନିର୍ବାଚନ ମଣ୍ଡଳୀସ୍ତରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ସେହିପରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଳା କାର୍ଯ୍ୟାଳୟରେ ଶ୍ରାଦ୍ଧ ଦିବସକୁ କୋଭିଡ଼ ନିୟମ ଅନୁପାଳନ କରାଯାଇ ପାଳନ କରାଯାଇଛି । ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ପୌରୋହିତ୍ୟରେ ବହୁ କଂଗ୍ରେସ କର୍ମୀ ସ୍ୱର୍ଗତ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉପସ୍ଥିତମାନେ ନିରବ ପ୍ରାର୍ଥନାରେ ରାଜୀବ ଗାନ୍ଧୀଙ୍କ ସମେତ କୋଭିଡ଼ରେ ପ୍ରାଣ ହରାଇଥିବା ସମସ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରାଜୀବ ଗାନ୍ଧୀ ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଭାରତବାସୀଙ୍କ ପାଇଁ ଯେଉଁ ଅବଦାନ ଦେଇ ଯାଇଛନ୍ତି ତାହା ଭାରତୀୟଙ୍କ ପାଇଁ ଅମୂଲ୍ୟ ସମ୍ପଦ । ଆଇଟି ଓ ପଞ୍ଚାୟତିରାଜ ସିଷ୍ଟମ ହେଉଛି ରାଜୀବଙ୍କ ଅବଦାନ ବୋଲି ସଭାପତି ଶ୍ରୀ ଦାସ କହିଥିଲେ । ପରେ କଂଗ୍ରେସ କର୍ମୀମାନେ କରୋନା କାଳରେ ଉତ୍ସର୍ଗୀକୃତ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ରୋଗୀ, ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ରନ୍ଧାଖାଦ୍ୟ, ମାସ୍କ, ସାନିଟାଇଜର ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନଳିନୀ ମହାନ୍ତି, ଅବଦୁଲ ମୁକିତ ଖାଁ, ରାଜକିଶୋର ସ୍ୱାଇଁ, ଅମୂଲ୍ୟ ବେହୁରିଆ, ଆଶିଷ ରାଉତ, ବିଜୟ ବାରିକ, ପ୍ରଦ୍ୟୁମ୍ନ ଦାସ, ବାପୁଜୀ ପରିଡ଼ା, ହେମନ୍ତ ମହାପାତ୍ର, ରଞ୍ଜନ ଜେନା, ଅଭିମନ୍ୟୁ ବେହେରା ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଚରମ୍ପା ରେଳ ଷ୍ଟେସନଠାରେ ଶୁଖିଲା ଖାଦ୍ୟ, ମାସ୍କ, ପାଣି, ସାନିଟାଇଜର ଆଦି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୌମ୍ୟ ବାରିକ, ସାହାବାଜ୍ ପଠାନ୍ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.