ବିରହ

ଭୁବନେଶ୍ୱର,(ବସୁନ୍ଧରା):

ପ୍ରୀତି କରିଥିଲେ ରାଧା କୃଷ୍ଣ ବୋଲି
ପ୍ରେମର ହୋଇଲା ଯାତ ;
ପ୍ରେମର ସାଥିରେ ସମୟ ସ୍ରୋତରେ
ବିରହ ହେଲା ଆଗତ |୧|

ପ୍ରେମର ଠାକୁର ରାଧା କୃଷ୍ଣ ଯେବେ
ପ୍ରେମଠୁ ଅଲଗା ହେଲେ ;
ସୃଷ୍ଟିର କରତ୍ତା ବ୍ରହ୍ମା ମହେଶବି
ଲୁହ ଧାରେ ଭିଜି ଗଲେ |୨|

ପ୍ରେମର ମୂରତୀ ହୋଇଲେ ଅଲଗା
ସୃଷ୍ଟିର ନିୟମ ପାଇଁ ;
ପ୍ରେମକୁ ଶାସ୍ବତ କରିଲେ ଈଶ୍ବର
ବିରହର ଜ୍ବଳା ସହି |୩|

କର୍ମର ପଥରୁ ଯଶୋଦା ନନ୍ଦନ
ହୋଇଲେ ଯେବେ ବିଚ୍ୟୁତ;
ସୃଦାମା ଆସିଲେ ଅଭିଶାପ ନେଇ
କର୍ମକୁ କଲେ ସୂଚିତ |୪|

ଈଶ୍ବର ବି ନିଜେ ହେଲେ ଅସହାୟ
କର୍ମକୁ ବାଛିଲେ ଆଗ;
ପ୍ରେମରୁ ବିରତି ନେଇ ଚାଲିଗଲେ
ଲଗାଇ ବିରହ ଦାଗ |୫|

ଦଗାଦିଆ ବୋଲି ସମସ୍ତେ କହିଲେ
କୃଷ୍ଣଙ୍କୁ ନଗର ବାସୀ;
ସଂସାରର ନିନ୍ଦା ମୋହନ ମୁରାରୀ
ସହିଥିଲେ ହସି ହସି |୬|

ବିରହର ନିଆଁ ତିଳ ତିଳ କରି
ଜାଳିଲା ରାଧା କୃଷ୍ଣଙ୍କୁ ;
ସମୟ ର ସ୍ରୋତ ନିର୍ଦ୍ଧୟ ସାଜିଲା
ଛାଡିଲାନି ଈଶ୍ବରଙ୍କୁ |୭|

ଯମୁନା ରଚିଲା ତାଣ୍ଡବର କାଶ
ଦେଖି ରାଧାଙ୍କର ଲୁହ ;
ପ୍ରକୃତି ଖେଳିଲା ବିନାଶର ଖେଳ
ଦେଖି ଧରଣୀର କୋହ |୮|

ସମଗ୍ର ସଂସାର ହୋଇଲା ବ୍ୟାକୁଳ
ଏଭଳି ତାଣ୍ଡବ ଦେଖି;
ସ୍ତବ୍ଧ ରହିଗଲେ ଜଗତ ଜନନୀ
କୃଷ୍ଣ ଙ୍କର ଲୁହ ଦେଖି |୯|

ମହାଦେବ ପୁଣି ଲଙ୍ଘି ଯାଇଥିଲେ
କ୍ରୋଧର ସବୁ ସୀମାକୁ ;
ତାଣ୍ଡବ ନୃତ୍ୟରେ ଆଣିଲେ ପ୍ରଳୟ
ଲକ୍ଷ ଭେଦି ସମୟକୁ |୧୦|

ଏ ସାରା ସଂସାର ହେଲା ହାହାକାର
ଜୀବନର ହେଲା ଅନ୍ତ ;
ମୋହନ ମୁରାରୀ ସ୍ତବ୍ଧ ହୋଇଗଲେ
ଦେଖି ଏ ପ୍ରଚଣ୍ଡ ରୂପ |୧୧|

ସଂସାରର ଗତି ବିନାଶ ଆଡକୁ
ମୁହାଁଇବା ପାରି ଜାଣି ;
ଜଗତର କର୍ତ୍ତା କରିଲେ ଆଦେଶ
ହୋଇଲା ଶୂନ୍ୟରୁ ବାଣୀ |୧୨|

କୃଷ୍ଣ ବୁଝାଇଲେ ସାରା ଜଗତକୁ
ସୃଷ୍ଟିର ନିୟମ ଇଏ;
ଶାନ୍ତ ହୁଅ ଏବେ ଜଗତରେ ପରା
ପ୍ରେମରେ ବିରହ ଥାଏ |୧୩|

ଜଗତର ସ୍ରଷ୍ଟା ହୋଇ ଆମେ ଯଦି
କର୍ମରୁ ବିଚ୍ୟୁତ ହେବା ;
ସାରା ସଂସାରରେ ଈଶ୍ବରଙ୍କ ନାମେ
ହରାଇବା ନିଜ ଶୋଭା |୧୪|

ପ୍ରେମର ସମାପ୍ତି ସଂସାରରେ କେବେ
ମିଳନରେ ଶେଷ ନୁହେଁ ;
ବିନା ମିଳନରେ ପ୍ରେମବି ସଂସାରେ
ପବିତ୍ରର ଆଖ୍ୟା ପାଏ |୧୫|

ସାରା ଜଗତକୁ ମୋହନ ମୂରଲୀ
କହିଲେ ପ୍ରେରଣା ଦେଇ ;
କର୍ମ ମହା ପୂଣ୍ୟ କର୍ମ ମହା ଜ୍ଞାନ
କର୍ମ ବିନା କିଛି ନାହିଁ |୧୬|

ଆଗାମୀ ଦିନରେ ପ୍ରେମରେ ଆସିବ
ଅନେକ ଦୁଃଖ ଯାତନା;
ବିଚ୍ୟୁତ ହୋଇବେ ଯୁବ ପିଢି ସବୁ
ନିଜ କର୍ମ ପଥ ବିନା |୧୭|

ପ୍ରେମକୁ ବ୍ୟାପାର କରିଣ ସମାଜେ
ମଜ୍ଜି ଯିବେ ନର ନାରୀ ;
ନିଜ ଦୋଷ ତ୍ରୁଟି ଲୁଚାଇ କହିବେ
ପ୍ରେମ ଏକ ମହାମାରୀ |୧୮|

ସ୍ବାର୍ଥ ଲୋଭୀ ହୋଇ କାମନା ମୋହରେ
ପ୍ରେମକୁ ଭାବିବେ ଖେଳ;
ସେହି ମୋହ ଦିନେ ବିରହ ରୂପରେ
ସାଜିବ ସଂସାରେ କାଳ |୧୯|

ପ୍ରେମତ ଶାସ୍ବତ ଚିରନ୍ତନ ସତ
ବିରହ ଆସିବ ଦିନେ ;
ବିରହ ଭିତରେ ପ୍ରେମକୁ ଖୋଜିଲେ
ସୁଖ ବରଷିବ ଦିନେ |୨୦|

ନିଜ ଭୁଲ୍ ପାଇଁ ପ୍ରେମକୁ ସମାଜେ
କର ନାହିଁ ବଦନାମ ;
ପ୍ରେମ ପରା ଗୋଟେ ପବିତ୍ର ପାପଟେ
ସ୍ବାର୍ଥ ହୀନ ଯା’ର ନାମ |୨୧|

         💛ସର୍ବେଶ୍ବର ସାହୁ💚
  🇮🇳ଓଡିଶା-ଭଦ୍ରକ-ଧାମନଗର🇮🇳 
     
      

Leave A Reply

Your email address will not be published.

one × 2 =