ଭିନ୍ନକ୍ଷମ ରବିନ୍ଦ୍ରଙ୍କୁ ଭତ୍ତା ମିଳିବ କେବେ ?ବାରଦ୍ୱାର ସୁଣ୍ଡି ପିଣ୍ଡା ହେଉଛନ୍ତି ଭିନ୍ନକ୍ଷମ ରବିନ୍ଦ୍ର।

ଭଦ୍ରକ,(ବସୁନ୍ଧରା): ସରକାର ନିସ୍ୱ ଓ ଅସହାୟ ଲୋକଙ୍କୁ ଥଇଥାନ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ବହୁ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଯାଉଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଅର୍ନ୍ତଗତ ବେଲଗଡ଼ିଆ ଗ୍ରାମର ରବିନ୍ଦ୍ରଙ୍କ ଠାରେ । ସରକାରଙ୍କ ସୁବିଧା ସୁଯୋଗରୁ ବଂଚିତ ରବିନ୍ଦ୍ର ଖାଦ୍ୟ ଅନ୍ୱେଷଣରେ ଏ ଗାଁରୁ ସେ ଗାଁ ଘୁରି ବୁଲୁଥିବାର ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅର୍ନ୍ତଗତ ବେଲଗଡ଼ିଆ ଗ୍ରାମର ସ୍ୱର୍ଗତ ଲକ୍ଷ୍ମୀଧର ପରିଡ଼ାଙ୍କ ପୁଅ ରବିନ୍ଦ୍ର । ଆଗପଛ ହୋଇ ତାଙ୍କ ବାପାମାଆ ଆରପାରିକୁ ଚାଲିଗଲେ । ଏହାପରେ ସେ ବେସାହାରା ହୋଇଯାଇଥିଲେ । ନିଜ ପେଟ ଚାଖଣ୍ଡେ ପୁରାଇବା ପାଇଁ ଦାଦନ ଖଟିବାକୁ ବାଙ୍ଗାଲୋର ପଳାଇଗଲେ । ସେଠାରେ କଠିନ ପରିଶ୍ରମ କରି ନ ପାରି ପୁଣି ଗାଁ କୁ ପଳାଇ ଆସିଲେ । ଘରେ ପହଞ୍ଚୁ ପହଞ୍ଚୁ ତାଙ୍କୁ ଜ୍ୱର ଦୀର୍ଘ ଦିନ ହେବା ପରେ ମେରୁଦଣ୍ଡରେ ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ । ସ୍ଥାନୀୟ ମେଡ଼ିକାଲ ରୁ ଔଷଧ ଆଣି ଖାଇବା ପରେ ଯନ୍ତ୍ରଣା ଉପଶମ ହେବା ପରିବର୍ତ୍ତେ କ୍ରମଶଃ ବୃଦ୍ଧି ପାଇଲା । ତାପରେ ହଠାତ ୨ଟି ଗୋଡ଼ ସହ ଶରୀର ର ଅର୍ଦ୍ଧାଧିକ ଅଂଶ ଅଚଳ ହୋଇ ପଡ଼ିଲା । ତାଙ୍କର ନିଜସ୍ୱ ବୋଲି କେହି ନାହିଁ ଓ ଆର୍ଥିକ ସମ୍ବଳ ଆଦୌ ନାହିଁ କହିଲେ ଚଳେ । ଏପରି ଅବସ୍ଥାରେ ଅକର୍ମଣ୍ୟ ହୋଇପଡ଼ିବା ଯୋଗୁଁ ସେ ସମ୍ପୁର୍ଣ୍ଣ ବେସାହାରା ହୋଇଯାଇଥିଲେ । କୌଣସି କିଛି ଚିକିତ୍ସା ହୋଇନପାରି ଭଗବାନଙ୍କୁ ଭରସା କରି ପଡ଼ିରହିଛନ୍ତି । ରହିବା ପାଇଁ ଘରଦ୍ୱାର ମଧ୍ୟନାହିଁ । ଗାଁର ପର ପିଣ୍ଡାରେ ରାତ୍ରୀଯାପନ କରିବା ସହିତ ଦୟାକରି ଯିଏ ଯାହା ଦେଲା,ତାକୁ ହିଁ ଖାଇ ସେ ଜୀଇଁଛନ୍ତି । ଚଲାବୁଲା ବି କରିପାରୁ ନାହାଁନ୍ତି । ଏବେବି ସେ ସମସ୍ତ ସରକାରୀ ସୁବିଧା ପାଇବାରୁ ବଂଚିତ ହୋଇ ଆସୁଛନ୍ତି । ଗତ ବର୍ଷ କୋଭିଡ଼-୧୯ ଯୋଗୁଁ ପ୍ରଶାସନ ତରଫରୁ ଲକ୍‌ଡ଼ାଉନ ଘୋଷଣା ସମୟରେ ରବିନ୍ଦ୍ର ଅଡ଼ାଳପଙ୍କ ବଜାରସ୍ଥ ଏକ ପରିତ୍ୟକ୍ତ ଘରେ ଅବହେତିଳ ଭାବେ ଜୀବନ ବିତାଉଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲା ଓ ବ୍ଲକ ପ୍ରଶାସନ ନିର୍ଦ୍ଦେଶ କ୍ରମେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତାଙ୍କୁ ଏକ ଟ୍ରାଇସାଇକେଲ ପ୍ରଦାନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି । କିନ୍ତୁ ସେ ଆଜି ସୁଦ୍ଧା ଭିନ୍ନକ୍ଷମ ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି । ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ଅନଲାଇନରେ ନାମ ପଂଜିକରଣ ହେବା ପରେ ସେ ଏହା ପ୍ରାପ୍ତ କରିପାରିବେ ବୋଲି ସୂଚନା ମିଳିଥିଲେ ସୁଦ୍ଧା ରବିନ୍ଦ୍ର ଏହି କାର୍ଯ୍ୟ ପାଇଁ ଅନଭିଜ୍ଞ ହୋଇଥିବାରୁ ଜନପ୍ରତିନିଧି କିମ୍ବା କୈାଣସି ସ୍ୱେଚ୍ଛାସେବୀ ସଂଗଠନର ସେ ସାହାର୍ଯ୍ୟ ପାଉ ନଥିବାରୁ ଆଜି ସୁଦ୍ଧା ଏଥିରୁ ବଂଚିତ ହେବା ସହ କରୋନା ସମୟରେ ଡ଼ହଡ଼ହ ଖରାରେ ବାରଦ୍ୱାରା ଖାଦ୍ୟ ଅନ୍ୱେଷଣରେ ଘୁରିବୁଲୁଥିବାର ଲୁହ ଭରା ନୟନରେ ପ୍ରକାଶ କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Leave A Reply

Your email address will not be published.