ଓଲଟିଲା ଯାତ୍ରୀବାହୀ ବସ; ୧୦ ରୁ ଅଧିକ ଯାତ୍ରୀ ଆହତ ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଛତାବର-ଭଣ୍ଡାରିପୋଖରୀ ମଧ୍ୟବର୍ତ୍ତି ଛପୋଲିଆ ନିକଟରେ ଦ୍ରୁତଗାମୀ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଦଶରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି । ଭୁବନେଶ୍ୱରରୁ ବାରିପଦା ଅଭିମୁଖି ଓଡି ୩୪ ଡି ୯୨୯୯ନଂ ଅଜୟ ଆଣ୍ଡ ଅଜୟ ବସ ସଂପୃକ୍ତ ରାସ୍ତା ଅତିକ୍ରମ କରୁଥିବା ବେଳେ ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲା । ଖବର ପାଇଁ ପୁଲିସ, ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ବସ ଭିତରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ଝରକା କାଚ ଭାଙ୍ଗି ବାହାର କରିଥିଲେ । ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲକୁ ପଠାଯାଇଥିଲା । ପ୍ରାୟ ଦଶ ଜଣ ଆହତଙ୍କୁ ମେଡିକାଲରେ ଚିକିତ୍ସା କରାଯାଇଥିଲା । ସାମାନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି । ଆହତମାନଙ୍କ ମଧ୍ୟରୁ ଛାତିରେ ଆଘାତ ପାଇଥିବା ଧାମନଗର ଅଞ୍ଚଳର ଦିପ୍ତିରଞ୍ଜନ ଦାସ(୩୨), ଡାହାଣ ଗୋଡରେ ଗଭୀର ଆଘାତ ଲାଗିଥିବା ବାରିପଦା ଅଞ୍ଚଳର ସଞ୍ଜୟ ପାଣି(୩୨), ଗୋଡ ଭାଙ୍ଗିଯାଇଥିବା ସାଲେପୁର ଅଞ୍ଚଳର ଭୁବନ ସାହୁ ପ୍ରମୁଖଙ୍କୁ ଭଦ୍ରକ ରେଫର କରି ଦିଆଯାଇଥିଲା । ତେବେ ବସର ଚାଳକ, କଣ୍ଡକ୍ଟର ଓ ହେଲପର ଫେରାର ଥିବାରୁ ବସରେ ଆସୁଥିବା ଯାତ୍ରୀଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ଓ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ । ତେବେ ବସରେ ପ୍ରାୟ ଷାଠିଏରୁ ଅଧିକ ଯାତ୍ରୀ ଥିବା ଓ ଭାରସାମ୍ୟ ହରାଇ ଚାଳକ ଦୁର୍ଘଟଣା ଘଟାଇଥିବା ନେଇ ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି । ପୁଲିସ ବସକୁ ଜବତ କରିଛି ।

Leave A Reply

Your email address will not be published.