ବ୍ରାଉନ୍‌ସୁଗାର ଜବତ, ଜଣେ ଯୁବକ ଗିରଫ।

ଭଦ୍ରକ,(ବସୁନ୍ଧରା): ଅବକାରୀ ବିଭାଗ ଓ ଏସ୍‌ଟିଏଫ୍ ଟିମ୍‌ର ବାରମ୍ବାର ଚଢାଉ ସତ୍ୱେ ଭଦ୍ରକ ଜିଲାରେ ବ୍ରାଉନ୍ ସୁଗାର ମାଫିଆଙ୍କ ଦୌରାତ୍ମ୍ୟ କମିବାର ନା ଧରୁନାହିଁ । ଗତକାଲି ପୁଣିଥରେ ଭଦ୍ରକ ପୁରୁଣାବଜାର ଥାନା ପୁଲିସ୍ ଭଦ୍ରକ-ଚାନ୍ଦବାଲି ରାସ୍ତାର କାର୍ମେଲ ସ୍କୁଲ ନିକଟରୁ ଜଣେ ଯୁବକ ଠାରୁ ୩୩୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବାରେ ସକ୍ଷମ ହୋଇଛନ୍ତି । ଏ ସଂପର୍କରେ ପୁରୁଣାବଜାର ଥାନାଧିକାରୀ ଗଣେଶ୍ୱର ପ୍ରଧାନ ଦେଇଥିବା ତଥ୍ୟ ଅନୁସାରେ ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ କୁଶୁନିବିନ୍ଧା ଗ୍ରାମ ନିବାସୀ ଦୟାନିଧି ମଲ୍ଲିକଙ୍କ ପୁତ୍ର ମନୋରଂଜନ ରାଜ୍ୟରେ ବ୍ରାଉନସୁଗାରର ହବ୍ କୁହାଯାଉଥିବା ପଡୋଶୀ ବାଲେଶ୍ୱର ଜିଲାର ଜଳେଶ୍ୱରରୁ ଉକ୍ତ ବ୍ରାଉନସୁଗାରକୁ ବାଇକ୍ ଯୋଗେ ଆଣି କାର୍ମେଲ ସ୍କୁଲ ନିକଟରେ କାହାକୁ ଦେବାକୁ ଅପେକ୍ଷା କରିଥିଲା । ଏ ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁରୁଣାବଜାର ଥାନାଧିକାରୀ ଏକ ଟିମ୍ ଜରିଆରେ ତାକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ଉକ୍ତ ବ୍ରାଉନ୍‌ସୁଗାର ମୂଲ୍ୟ ପ୍ରାୟ ୩୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଏ ସଂପର୍କରେ ଥାନାରେ କେଶ୍ ନଂ ୧୧୬/୨୧, ଦଫା ୨୧ (ସି) ଏନ୍‌ଡିପିଏସ୍ ଆକ୍ଟ ଅନୁସାରେ ଏକ ମକଦ୍ଦମା ରୁଜୁ ହେବା ସହ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବ୍ରାଉନ୍‌ସୁଗାର ଓ ବାଇକ୍‌ଟିକୁ ଜବତ କରାଯାଇ ମନୋରଂଜନକୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.