ନିରବଦ୍ରଷ୍ଟା ସାଜିଛି ପ୍ରଶାସନ ,ବାଲିଘାଟକୁ ନେଇ ଆନ୍ଦୋଳନ ଦାନା ବାନ୍ଧୁଛି।


ଭଦ୍ରକ,(ବସୁନ୍ଧରା):ପ୍ରାକୃତିକ ବିପର୍ଯ୍ୟୟରୁ ପରିବେଶକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ନିଜର ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇ ପାରୁ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ାରେ ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ; ଆଗରପଡା ଥାନା ଅଧିନ ଗୋପିନାଥପୁର,ମହାନ୍ତିପଡ଼ା,ଚାରିଗାଁ ଏବଂ ଅଣିଜୋ ଆଦି ପଞ୍ଚାୟତ ଅନ୍ତର୍ଗତ ସାଳନ୍ଦୀ ନଦୀରୁ ଦୀର୍ଘ ଦିନ ଧରି ବେନିୟମ ଭାବେ ମାଫିଆ ମାନେ ଦିନ ଦ୍ୱିପ୍ରହରରେ ବାଲି ଖୋଳି ନେଉଥିଲେ । ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଘାଟ ଗୁଡ଼ିକୁ ଗତ ବର୍ଷ ନିଲାମ କରାଯାଇଥିଲା । ନିଲାମ ପରେ ଅଂଚଳବାସୀ ବେଆଇନ ବାଲି ଖନନ ଉପରେ ରୋକ ଲାଗିବ ବୋଲି ଆଶା ବ୍ୟକ୍ତ କରିଥିବା ବେଳେ ତାଙ୍କ ଆଶା ଆଶାରେ ରହିଯାଉଥିବା ଜଣାପଡ଼ିଛି । ଅଂଚଳବାସୀଙ୍କ ଅଭିଯୋଗ ଅନୁଯାୟୀ; ବାଲି ଉଠାଣରେ ବେନିୟମ ହେବାସହ ସରକାରଙ୍କ ପ୍ରଦତ୍ତନିୟମକୁ ଘାଟ ନିଲାମଧାରୀ କେହିବି ମାନୁ ନାହାନ୍ତି । ପୂର୍ବପରି ରାଜସ୍ୱ ବିଭାଗ କର୍ମଚାରୀଙ୍କ ଜ୍ଞାତ ସାରରେ ଦିନ ଦ୍ୱିପ୍ରହରରେ ଖୋଲାଖୋଲି ଭାବେ ନିର୍ଦ୍ଦାରିତ ନିୟମଠାରୁ ଅଧିକ ବାଲି ଖୋଳାଯାଇ ଟ୍ରାକ୍ଟର ଓ ଟ୍ରକରେ ଅନ୍ୟ ସ୍ଥାନକୁ ପଠାଯାଉଛି । ଏହା ଜାଣି ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଗତ ୨୩ ତାରିଖରେ ଅଣିଜୋ ପଂଚାୟତ ଅନ୍ତର୍ଗତ ହରିପୁର ବାଲିଘାଟରେ ହେଉଥିବା ବେଆଇନ ବାଲି ଉଠାଣ ପ୍ରତିବାଦରେ ସାଳନ୍ଦୀ ବିକାଶ ମଂଚର ସାଧାରଣ ସଂପାଦକ ପ୍ରତାପ ପାଢୀ ଓ ପଦ୍ମନାଭ ପାଣିଗ୍ରାହୀଙ୍କ ନେତୃତ୍ୱରେ ସ୍ଥାନୀୟ ଅଂଚଳର ମା’ ସିଦ୍ଧେଶ୍ୱରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତାଙ୍କ ସମେତ ସମସ୍ତ ମହିଳା ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ସେହିପରି କିଛି ଦିନ ତଳେ କାଣ୍ଡବା ଗ୍ରାମବାସୀ ମଧ୍ୟ ଏହାକୁ ବିରୋଧ କରିଥିଲେ । ମହାନ୍ତିପଡ଼ା ପଂଚାୟତର ନିଲାମ ହୋଇଥିବା ୨ଗୋଟି ପ୍ଲଟରୁ ବାଲି ଉଠାଣ ଚାଲିଛି । ଉକ୍ତ ଜାଗାକୁ କୌଣସି ସରକାରୀ ରାସ୍ତା ନଥିବା ବେଳେ ନିଲାମଧାରୀ ବେଆଇନ ଭାବେ ବାଲି ଉଠାଉଥିବା ନେଇ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଯେନାଙ୍କ ସମେତ ଅଂଚଳବାସୀ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଆସନ୍ତା ଅପ୍ରେଲ ମାସ ୧ ତାରିଖଠାରୁ ପୂର୍ବତନ ବିଧାୟକ ଶ୍ରୀ ଯେନାଙ୍କ ନେତୃତ୍ୱରେ ନିର୍ବାଚିତ ୱାର୍ଡ଼ ସଭ୍ୟ/ସଭ୍ୟାଙ୍କ ସମେତ ପୂର୍ବତନ ସରପଂଚ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତାମାନେ ଗଣ ଧାରଣାରେ ବସିବେ ବୋଲି ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି । ତେଣୁ ବିଭିନ୍ନ ପଂଚାୟତ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ପ୍ରଶାସନ ବାଲିଘାଟକୁ ନିଲାମ କରି ନିରବଦ୍ରଷ୍ଟା ସାଜିଥିବାବେଳେ ଏହାର ପ୍ରତିବାଦରେ ଆନ୍ଦୋଳନ ଦାନା ବାନ୍ଧୁଥିବାର ଦେଖିବାକୁ ମିଳୁଛି । ତେଣୁ ଅଂଚଳବାସୀଙ୍କ ବୃହତ୍ତ ସ୍ୱାର୍ଥକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave A Reply

Your email address will not be published.

twenty − five =