ମାର୍ଚ୍ଚ ୨୫ରେ ଯୁବ କଂଗ୍ରେସର ଯୁବ ଆକ୍ରୋଶ ସମାବେଶ ଓ ବିଧାନସଭା ଘେରାଉ।


ଭୁବନେଶ୍ୱର,(ବସୁନ୍ଧରା): ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟରେ ବଢ଼ୁଥିବା ବେକାରୀ ସମସ୍ୟା, ଠିକା ନିଯୁକ୍ତି ବାତିଲ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶକୀୟ ସାମଗ୍ରୀ ଦରଦାମ ଅହେତୁକ ବୃଦ୍ଧି ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ତଥାକଥିତ ଭାବେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲାଉଥିବା ନବୀନ ପଟ୍ଟନାୟକଙ୍କ ୨୧ ବର୍ଷ ଶାସନରେ ଓଡ଼ିଶା ବେରୋଜଗାରୀରେ ନମ୍ବର-୧, ନୂତନ ରୋଜଗାର ସୃଷ୍ଟିକରିବାରେ ମଧ୍ୟ ସଂପୂଣ୍ଣଭାବେ ବିଫଳ ।

ରୋଜଗାର ଦେବା ଦୁରର କଥା ରୋଜଗାର କରୁଥିବା ଫ୍ରାଂଚାଇଜ କର୍ମଚାରୀମାନଙ୍କୁ ଟାଟା କମ୍ପାନୀ ପ୍ରିତିରେ ପ୍ରାୟ ୭୬୦୦ କର୍ମଚାରୀଙ୍କୁ ବେକାର କରିଛନ୍ତି । ଏ ସରକାର ନିର୍ବାଚନ ଆସିଲେ ଯୁବକମାନଙ୍କୁ ବାରମ୍ବାର ରୋଜଗାର ଦେବାର ପ୍ରତିଶୃତି ଦିଅନ୍ତି କିନ୍ତୁ ନିର୍ବାଚନ ସରିଲେ ସେଥିରୁ ବିମୁଖ ରୁହନ୍ତି । ଉଗଓଋ ର ସର୍ଭେ ୨୦୨୦ ଅନୁଯାୟୀ ଓଡ଼ିଶାରେ ବେକାରୀ ସଂଖ୍ୟା ୧୦.୭ ପ୍ରତିଶତ ବଢ଼ି ୨୩.୮ ପ୍ରତିଶତ ହେଲାଣି । ଯାହା ସମଗ୍ର ଭାରତବର୍ଷରେ ସର୍ବାଧିକ ।

ଯେତେବେଳେ ରାଜ୍ୟରେ ବେକାରୀ ସମସ୍ୟା ନିଦ ହଜାଇଥିଲା ରାଜ୍ୟ ସରକାର ଦଳୀୟ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ବିଜୁ ଯୁବବାହିନୀ ଗଠନକରି ୨୦୧୮ ମସିହାରେ ୪୫୦ କୋଟି, ୨୦୧୯ରେ ୧୦୦ କୋଟି ଏବଂ ପ୍ରଚାର, ପ୍ରସାର ଏବଂ ସମାବେଶ ମାଧ୍ୟମରେ ଶହ ଶହ କୋଟି ସାଧାରଣ ଜନତାଙ୍କ ଟିକସ ପଇସାକୁ ବରବାଦ କରି ନିର୍ବାଚନ ମାଧ୍ୟମରେ ଶାସନଗାଦି ବଂଚାଇବାକୁ ଚେଷ୍ଟା କରୁଥିଲେ ।


ଏବେ ପ୍ରଶ୍ନ ଉଠୁଛି ଯଦି ସେହି ପଇସାରେ ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ମିଳିଥାନ୍ତା ତାହାଲେ କେତେ ପରିବାର ମୁହଁରେ ହସ ଫୁଟି ପାରିଥାନ୍ତା । କିନ୍ତୁ ଏ ସରକାର ପ୍ରଚାର ପ୍ରସାର ପ୍ରତାରଣାର ସରକାର ତେଣେୁ ଆମେ ସେମାନଙ୍କ ଠାରୁ ଆଶା କରିବା ଓଡ଼ିଶାବାସୀଙ୍କ ବୋକାମି ।


କେନ୍ଦ୍ରରେ ଥିବା ମୋଦୀ ସରକାର ମଧ୍ୟ ୨କୋଟି ରୋଜଗାର ଦେବା ନାମରେ ବାରମ୍ବାର ଜୁମଲା ଦେଇଛନ୍ତି । ଗତ ୪୫ ବର୍ଷରେ ଭାରତରେ ସବୁଠୁ ଅଧିକ ବେରୋଜଗାରୀ,ଏଥିରୁ ପ୍ରମାଣିତ ହେଉଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୁବକ ଯୁବତୀ ମାନଙ୍କୁ ପ୍ରତାରିତ କରିଛନ୍ତି । କୋଭିଡ ପରେ ବେକାରୀ ସମସ୍ୟା ଆହୁରି ଉତ୍କଟରୁପ ନେଲାଣି । କିନ୍ତୁ ରାଜ୍ୟ ଓ କେନ୍ଦ୍ର ସରକାର ନିଯୁକ୍ତି କ୍ଷେତ୍ରରେ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉନାହାଁନ୍ତି ।


ଯୁବ କଂଗ୍ରେସ ବାରମ୍ବାର ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାପାଇଁ ଆନ୍ଦୋଳନ କରିଥିଲେ ମଧ୍ୟ ଉଭୟ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି । କେନ୍ଦ୍ରରେ ୟୁପିଏ ସରକାର ଥିବା ସମୟରେ ରାସ୍ତାକୁ ଓହ୍ଲାଉଥିବା ବିଜୁ ଜନତା ଦଳ ଏବେ କାହା ଚାପର ବଶବର୍ତି ହୋଇ ଆଜି ନରିବ ଅଛନ୍ତି । ଏଥିରୁ ପ୍ରମାଣିତ ହେଉଛି ଉଭୟ ସରକାର ଜନବିରୋଧି । ଏବେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ ପଂହଚିଛି, ରାସ୍ତା ଘାଟରେ ମରଡ଼, ଅପହରଣ ରେପ ହେଉଛି କିନ୍ତୁ ସରକାର ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ ନକରି ହାତଟେକି ବସିଛନ୍ତି ।


ଉପରୋକ୍ତ ସମସ୍ୟାକୁ ପାଥେୟ କରି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଗାମୀ ମାର୍ଚ୍ଚ ୨୫ ତାରିଖ ଗୁରୁବାର ଦିନ “ଯୁବ ଆକ୍ରୋଶ ସମାବେଶ” ଆୟୋଜିତ କରାଯିବ ଏବଂ ତା ସହିତ ବିଧାନସଭା ଘେରାଉ କରାଯିବ । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବକଂଗ୍ରେସର ସଭାପତି ବି.ଭି. ଶ୍ରୀନିବାସଙ୍କ ସମେତ କେନ୍ଦ୍ରୀୟ ଯୁବ ନେତୃତ୍ୱ, ରାଜ୍ୟର ସମସ୍ତ ବରିଷ୍ଠ ନେତା, ସମସ୍ତ ବିଧାୟକ, ସାଂସଦ ରାଜ୍ୟର ଯୁବନେତୃତ୍ୱମାନେ ଯୋଗଦେବେ ।ଏହି କାର୍ଯ୍ୟକ୍ରମ ପାଇଁ ଆଜି ଯୁବ କଂଗ୍ରେସ ପକ୍ଷରୁ ପୋଷ୍ଟର ଉନ୍ମୋଚନ କରାଯାଇଛି ।

ଆଜିର ଏହି ସାମ୍ବଦିକ ସମ୍ମିଳନୀରେ ଓଡ଼ିଶା ଯୁବ କଂଗ୍ରେସ ସହ ପ୍ରଭାରୀ ରିୟାଜୁଲ ଅନସାରୀ, ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ମହମ୍ମଦ ଅଲିମ୍‌, ଅଭିଳାଷ ମାଣିଆ, ରାଜୀବ ପଟ୍ଟନାୟକ, ବିମଳ ବେହେରା, ମୁଖପାତ୍ର ନଳିନୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.