ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ୍‌, ଜଣେ ଗିରଫ ।

ଭଦ୍ରକ,(ବସୁନ୍ଧରା):ଭଦ୍ରକ ଜିଲ୍ଲାରେ ଧଳା ଜହର ବା ବ୍ରାଉନ ସୁଗାର କାରବାରର ଦିନକୁ ଦିନ ବଢିବାରେ ଲାଗିଛି । ପୂର୍ବରୁ ଛୋଟ ଛୋଟ ବ୍ୟବସାୟୀ ଧରାପଡ଼ୁଥିବାବେଳେ, ଏବେ ବଡ଼ ବ୍ୟବସାୟୀ ପୁଲିସ ଓ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଜାଲରେ ପଡ଼ିଲେଣି । ଏହି କ୍ରମରେ ଆଜି କଟକସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ଅବକାରୀ ବିଭାଗ ୧୧୦ ଗ୍ରାମର ବ୍ରାଉନସୁଗାର ଜବତ୍ କରିଛି । ଏହି ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସଂପୃକ୍ତ ଯୁବକଜଣକ ହେଲେ ତ୍ରିଲୋଚନ ନାୟକ । ବିଭାଗୀୟ ନିରୀକ୍ଷକ ଜଗଦିଶ ସାମଲଙ୍କ ସୂଚନା ଅନୁଯାୟୀ, ତାଙ୍କ ନେତୃତ୍ୱରେ ଏକ ୧୧ ଜଣିଆ ଟିମ ଭଦ୍ରକ-କଟକ ରାସ୍ତାରେ ପୋଟ୍ରୋଲିଂ କରୁଥିଲେ । ଏକ ନିର୍ଦ୍ଧିଷ୍ଟ ସୂଚନା ଆଧାରରେ ଏହି ଟିମ ସନ୍ଦେହଜନକ ଅବସ୍ଥାରେ ଯାଉଥିବା ତ୍ରିଲୋଚନକୁ ୧୬ନଂ ଜାତୀୟ ରାଜପଥର ନଳାଙ୍ଗ ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରୁ କାବୁ କରି ଯାଞ୍ଚ କରିବାରୁ ତା’ ପାଖରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ୍ କରିଥିଲେ । ତ୍ରିଲୋଚନ ଜଳେଶ୍ୱରରୁ ଏହି ବ୍ରାଉନସୁଗାର ଆଣିଥିବା ବିଭାଗୀୟ ଅଧିକାରୀଙ୍କ ପଚରାଉଚୁରା ବେଳେ ସ୍ୱୀକାର କରିଛି । ତେବେ ଗତ ଦେଢ଼ ମାସ ମଧ୍ୟରେ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗାର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜବତ୍ ହେବା ଘଟଣାରୁ ସ୍ପଷ୍ଟ ହୋଇଛିଯେ ଭଦ୍ରକ ଏବେ ଧଳାଜହର ବେପାରୀଙ୍କ ହବ୍ ପାଲଟିସାରିଛି ।

Leave A Reply

Your email address will not be published.