ଭଦ୍ରକ,(ବସୁନ୍ଧରା)ପବିତ୍ର ଶିବରାତ୍ରି ଜିଲାବ୍ୟାପି ବହୁ ଶୈବପୀଠମାନଙ୍କରେ ଭକ୍ତି ଓ ଉତ୍ସାହର ସହ କରୋନା କଟକଣା ଓ ସରକାରଙ୍କ ଗାଇଡ୍ଲାଇନ୍ ମଧ୍ୟରେ ପାଳିତ ହୋଇଯାଇଛି । ବିଶେଷକରି ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଆରଡ଼ିର ବାବା ଆଖଣ୍ଡଳମଣି ସମେତ ଭଦ୍ରକ ସହରର ବାବା ଲୋକନାଥ, ରାନ୍ଦିଆର ରାମେଶ୍ୱର, ରାଜଘାଟର ରାଜରାଜେଶ୍ୱର, କୁଆଁସର କୁମାରେଶ୍ୱର, ନୂଆବଜାରର ବଟେଶ୍ୱର, ଚାନ୍ଦବାଲି ବାଇପାସ୍ ସ୍ଥିତ ମହାଦେବ, ବାଗୁରାଇ ଶିବମନ୍ଦିର, ପାତ୍ରସାହିର ପାତ୍ରେଶ୍ୱରାୟ, ଦେବଭୂମୀ ଗବସାହି ଶିବ ମନ୍ଦିର, ବଳଭଦ୍ରପୁରସ୍ଥିତ ଭଦ୍ରେଶ୍ୱର ଶିବମନ୍ଦିର, ସାତଭଉଣୀ ସ୍ଥିତ ମହାଦେବ ମନ୍ଦିର, ପଳିକିରି ସ୍ଥିତ ପଶ୍ଚିମେଶ୍ୱର, ବ୍ରାହ୍ମଣୀଗାଁ ସ୍ଥିତ ବୁଢ଼ାମହାଦେବ, ଗେଲପୁରର ବାବା ଗେଲେଶ୍ୱର, ନଳାଙ୍ଗ ସ୍ଥିତ ନଳେଶ୍ୱର, ଅଣ୍ଢିଆ ସ୍ଥିତ ମହାଦେବ ମନ୍ଦିରମାନଙ୍କରେ ଏହି ଉତ୍ସବକୁ ହଜାର ହଜାର ଭକ୍ତ ପୂଜା ନୈବେଦ୍ୟ ପ୍ରଦାନପୂର୍ବକ ପାଳନ କରିଛନ୍ତି । ଏହି ଉପଲକ୍ଷେ ମନ୍ଦିରଗୁଡ଼ିକୁ ବିଭିନ୍ନ ତୋରଣ ଓ ରଙ୍ଗବେରଙ୍ଗୀ ଆଲୋକମାଳାରେ ସଜ୍ଜିତ କରାଯାଇଥିବାବେଳେ ଲୋକସମାଗମ ଦୃଷ୍ଟିକୋଣରୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ବାବା ଲୋକନାଥଙ୍କଠାରେ ଆଜି ସର୍ବାଧିକ ଭକ୍ତଙ୍କର ଭିଡ଼ ପରିଲକ୍ଷିତ ହୋଇଛି । ପ୍ରାତଃରେ ପୂଜକମାନଙ୍କ ପକ୍ଷରୁ ଠାକୁରଙ୍କର ସମସ୍ତ ନୀତି ଆରମ୍ଭ ହୋଇ ସଂଧ୍ୟାରେ ସଂଧ୍ୟାଆଳତୀ ସହ ବହୁ ଭକ୍ତଙ୍କୁ ଜାଗରଦୀପ ଜାଳି ଉପବାସରେ ବସିଥିବାର ଦେଖାଯାଇଥିଲା । ଚଳିତ ବର୍ଷ ବାବା ଲୋକନାଥଙ୍କ ବଡ଼ସିଂହାର ବେଶ ବହୁ ଜାକଜମକରେ ପାଳିତ ହୋଇଛି ।
Sign in
Sign in
Recover your password.
A password will be e-mailed to you.