ବେଆଇନ ଚିଙ୍ଗୁଡ଼ି ଚାଷ ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା

ଭଦ୍ରକ,(ବସୁନ୍ଧରା):ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଞ୍ଚଳରେ ହଜାର ହଜାର ଏକର ଚାଷ ଜମିକୁ ବେଆଇନ ଚିଙ୍ଗୁଡ଼ି ଚାଷ କରି ପରିବେଶ ନଷ୍ଟ ହେବା ସହିତ ଜମିରୁ ବାହାର କରାଯାଉଥିବା ଜଳ ପାଶ୍ୱର୍ବର୍ତ୍ତୀ ଜମିକୁ ଯାଇ ଉକ୍ତ ଜମିର ଉତ୍ପାଦକ କ୍ଷମତାକୁ ନଷ୍ଟ କରୁଛି । ଯାହାକୁ ବିରୋଧ କରି ଆଜି ଆରଡ଼ି, ନୂଆଗାଁ, ଯଶିପୁର ଗ୍ରାମ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ଚିଙ୍ଗୁଡ଼ି ଘେରି ପାଇଁ ଚାଷ ଜମି ନଷ୍ଟ ହେଉଥିବାରୁ ଗତ ଫେବୃଆରୀ ୨୮ ତାରିଖରେ ଚାନ୍ଦବାଲିରୁ ଶତାଧିକ ଚାଷୀ ଚାଲିଚାଲି ଦୀର୍ଘ ୫୫ କିଲୋମିଟର ଆସି ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଆଜି ଆରଡ଼ି ପଞ୍ଚାୟତର ମୁଆଁ, ପହଣା,ଯଶିପୁର ପଞ୍ଚାୟତର ଶୁଭଦିଆ, ବଳସାହି, ନୂଆଗାଁ ପଞ୍ଚାୟତର ଜନ୍ତୁଆଳି, ସଦାନନ୍ଦପୁର, ବିଶ୍ୱନାଥପୁର ଆଦି ଗ୍ରାମର ମହିଳାମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଚିଙ୍ଗୁଡ଼ି ଚାଷ ପାଇଁ କୌଣସି ସରକାରୀ ଅନୁମତି ନଥିବା ବେଳେ ରାଜନୈତିକ ବାହୁଛାୟା ତଳେ ଥିବା ତଥା ବିତ୍ତଶାଳୀ ଲୋକମାନେ ବେନିୟମ ଭାବେ ଚିଙ୍ଗୁଡ଼ି ଚାଷ କରୁଛନ୍ତି । ଆରଡ଼ି ପଞ୍ଚାୟତର ପହଣା ଅଞ୍ଚଳରେ ଚିଙ୍ଗୁଡ଼ି ଘେରିର ବିଷାକ୍ତ ପାଣି ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୋଖରୀ ପାଣିକୁ ମଧ୍ୟ ବିଷାକ୍ତ କରୁଛି । ବହୁ ସ୍ଥାନରେ ଚିଙ୍ଗୁଡ଼ି ଘେରି ଲାଗି ବାଡ଼ ଘେରବନ୍ଦୀ କରି ରଖାଯାଇଥିବାରୁ ଗୃହପାଳିତ ପଶୁମାନେ ଚରାବୁଲା କରି ପାରୁ ନାହାନ୍ତି । ସ୍ଥାନୀୟ ଅଧିକାରୀ ତହସିଲାରଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ ତହସିଲଦାର କୌଣସି ପଦକ୍ଷେପ ନେଉ ନ ଥିବାରୁ ବାଧ୍ୟ ହୋଇ ଆଜି ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ । ଆସନ୍ତା ୭ଦିନ ମଧ୍ୟରେ ଏକ ଜିଲା୍ଳସ୍ତରୀୟ ସ୍କ୍ୱାଡ ଗଠନ କରାଯାଇ ଚିଙ୍ଗୁଡ଼ି ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ । ଅତିରିକ୍ତ ଜିଲ୍ଳାପାଳ ଅରୁଣ କୁମାର ମହାପାତ୍ର ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତିି ଦେଇଛନ୍ତି । ଏହି ବିକ୍ଷୋଭ ଓ ଧାରଣାରେ ଓଡ଼ିଶା କୃଷକ ସଭା ଯୁଗ୍ମ ସମ୍ପାଦକ ବିକାଶ ନାଥ, ମହିଳା ଚାଷୀ ମାନିନୀ ଦାସ, ପୂଜା ଦାସ, ସଂଯୁକ୍ତା ଦାସ, ସୁମିତ୍ରା ଦାସ, ଚାଷୀ ନେତା ନିରଞ୍ଜନ ଯେନା ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.