ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ ଦୃଢ ପ୍ରତିବାଦ କରିବ ବଜେପି ମହିଳା ମୋର୍ଚ୍ଚା:ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର,(ବସୁନ୍ଧରା):ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରଥମ ପଦାଧିକାରୀ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୋଗ ଦେଇ ତ୍ରିସ୍ତରୀୟ ଭାବେ ସଙ୍ଗଠନକୁ ଆଗକୁ ନେବା ପାଇଁ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଜଣାଇଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ବିଶେଷ କରି ମହିଳାଙ୍କ ପ୍ରତି ଅସଦାଚରଣ ଓ ଦୁଷ୍କର୍ମ ଭଳି ଅପରାଧ ବୃଦ୍ଧି ପାଇଛି ।
ଆଗାମୀ ଦିନରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ମହିଳାମୋର୍ଚ୍ଚା ତୃଣମୂଳସ୍ତରରୁ ଲଢେଇ ଆରମ୍ଭ କରିବା ପାଇଁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି । ମୋଦି ସରକାର ଦେଶର ଶିଶୁ ଓ ମହିଳାମାନଙ୍କ ପ୍ରତି ସମର୍ପିତ । ମହିଳାଙ୍କ ସ୍ୱାସ୍ଥ୍ୟ ଓ ପୋଷଣଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ମୋଦି ସରକାର ବ୍ୟାପକ ଯୋଜନା ଲାଗୁ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏହି ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରି ଶ୍ରେୟ ନେବାର ଅପଚେଷ୍ଟା କରୁଛନ୍ତି । ଅନେକ ଯୋଜନା ତୃଣମୂଳସ୍ତରରେ ଯୋଗ୍ୟ ହିତାଧିକାରୀଙ୍କ
ପାଖରେ ପହଂଚି ପାରୁନାହିଁ । ଏନସିଆରବି ରିପୋର୍ଟ ଅନୁଯାୟୀ ମହିଳାଙ୍କ ଉପରେ ଆକ୍ରମଣ ଏବଂ ଅପରାଧିକ ବଳ ପ୍ରୟୋଗ କରିବାରେ ଓଡିଶା ଦେଶର ଏକ ନମ୍ବର ସ୍ଥାନରେ ରହିଛି । ରାଜ୍ୟ ସରକାର ମା’ଙ୍କୁ ସମ୍ମାନର ନାରା ଦେଉଥିବାବେଳେ ରାଜ୍ୟରେ ନାରୀ ଜାତି ସଂପୂର୍ଣ୍ଣଭାବେ ଅସୁରକ୍ଷିତ ହୋଇପଡିଛି । ଆଗାମୀ ଦିନରେ ମହିଳା ମୋର୍ଚ୍ଚା ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ ଦୃଢ ପ୍ରତିବାଦ କରିବ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି । ଏହି ପଦାଧିକାରୀ ବୈଠକରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ନିରୋଜ ନଳିନୀ ମହାଲ୍ଲିକ, କସ୍ତୁରୀ ମିଶ୍ର, ନିୟତି ଗିରି ଓ ଅନୁଚୌଧୁରୀ, ସାଧାରଣ ସଂପାଦିକା ବବିତା ପାତ୍ର, ସଂପାଦିକା ରଶ୍ମିରେଖା ଦାସ, କୌଶଲ୍ୟା ନାୟକ, ଇତିଶ୍ରୀ ଜେନା ଏବଂ ସୁବାସିନୀ ବଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.