ଭଦ୍ରକ ଜିଲ୍ଲା କ୍ରିକେଟ ସଂଘର କାର୍ଯ୍ୟକାରିଣୀ ପୁନର୍ଗଠିତ।


ଭଦ୍ରକ,(ବସୁନ୍ଧରା): ଜିଲ୍ଲା କ୍ରିକେଟ ଆସୋସିଏସନର ୧୫ ସଦସ୍ୟ ବିଶିଷ୍ଟ କାର୍ଯ୍ୟକାରିଣୀ ପୁନର୍ଗଠିତ ହୋଇଯାଇଛି । ଏଥିରେ ଉପେନ୍ଦ୍ର କୁମାର ବାରିକ ସଭାପତି ରୂପେ ନିର୍ବାଚିତ ହୋଇଥିବା ବେଳେ ଧିରେନ ପଲାଇ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଉପ ସଭାପତି ଭାବେ ଭବତୋଷ ଦାସ ଓ ନୀଳଶୈଳ ନାୟକ, ଯୁଗ୍ମ ସମ୍ପାଦକ ଭାବେ ରାଣୀତାଲ ନିବାସୀ ଦିଲ୍ଲିପ କୁମାର ନାୟକ ଓ ନୀଳମାଧବ ଦାସ ଓ କୋଷାଧ୍ୟକ୍ଷ ଭାବେ ବ୍ୟୋମକେଶ ସେନାପତି ନିର୍ବାଚିତ ହୋଇଛନ୍ତି । ଅଧ୍ୟାପକ ବିଜୟ କୁମାର ଜେନା,ଲକ୍ଷ୍ମୀକାନ୍ତ ଷଢଙ୍ଗୀ, ଆଇନଜିବୀ ଯତିକାନ୍ତ ନାୟକ,ବିଜୟ କୁମାର ଲଖାନୀ, ରୋଟାରିଆନ ଅତିସ କୁମାର ବେହେରା,ରବିନାରାୟଣ ପାଣିଗ୍ରାହୀ,ଚରମ୍ପା ନିବାସୀ ଦିଲ୍ଲିପ ନାୟକ ଓ ସୁଶିଲ କୁମାର ପଟ୍ଟନାୟକ ଏହି କାର୍ଯ୍ୟକାରିଣୀର ସଦସ୍ୟ ରୂପେ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରିଣୀ ପୁନର୍ଗଠନ ପ୍ରକ୍ରିୟା ୧୮ ତାରିଖ ଠାରୁ ଆରମ୍ଭ ହୋଇଥିଲା ଓ ଏହି କ୍ରମରେ ଆଜି ପୁର୍ବାହ୍ନରେ ନିର୍ବାଚନ କାର୍ଯ୍ୟକ୍ରମ ଥିଲା । କାର୍ଯ୍ୟକାରିଣୀର ପ୍ରତି ପଦବୀ ପାଇଁ ଗୋଟିଏ ଲେଖାଏ ନାମାଙ୍କନ ପତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ମିଳିଥିବାରୁ ନିର୍ବାଚନ ଅଧିକାରୀ ରୂପେ ନିମନ୍ତ୍ରିତ ବରିଷ୍ଠ ଆଇନଜିବୀ ଦିବ୍ୟସିଂହ ନାୟକ ସମସ୍ତଙ୍କୁ ନିର୍ବାଚିତ ଘୋଷଣା କରିଥିଲେ । ନିର୍ବାଚନ ଓ କାର୍ଯ୍ୟକାରିଣୀ ପୁନର୍ଗଠନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏସନର ନିର୍ଦ୍ଧେଶ କ୍ରମେ ସି.ଇ.ଓ. ସୁବ୍ରତ କୁମାର ବେହେରା ଓ ଓଡ଼ିଶା ଅଲିମ୍ପିକ ଆସୋସିଏସନର ସାଧାରଣ ସମ୍ପାଦକ ତଥା କ୍ରିିକେଟ ଆସୋସିଏସନର କାଉନସିଲ ସଦସ୍ୟ ପର୍ଯ୍ୟବେକ୍ଷକ ରୂପେ ଅଭିଜିତ ପାଲ ଯୋଗଦେଇଥିଲେ । ନିର୍ବାଚନ ପରେ ଅନୁଷ୍ଠିତ ସାଧାରଣ ସଭାରେ ପୁର୍ବତନ ଉପସଭାପତି ଅଧ୍ୟାପକ ବିଜୟ କୁମାର ଜେନା ସଭାପତିତ୍ୱ କରିଥିଲେ । ଏହି ସଭାରେ ନିର୍ବାଚନ ଅଧିକାରୀ ନିର୍ବାଚନା ପରିଚାଳନା ସର୍ମ୍ପକିୟ ବିବରଣୀ ପ୍ରଦାନ କରିଥିବା ବେଳେ ଓଡ଼ିଶା କ୍ରିକେଟ ଆସୋସିଏସନର ପର୍ଯ୍ୟବେକ୍ଷକ ମାନେ ଏତେ ଅନ୍ତରଙ୍ଗ ପରିବେଶରେ ଶୃଙ୍ଖଳାର ସହିତ ନିର୍ବାଚନ କାର୍ଯ୍ୟ ସମ୍ପନ୍ନ ହୋଇଥିବାରୁ ସାଧାରଣ ସଭାର ସଦସ୍ୟ ମାନଙ୍କୁ ପ୍ରସଂଶା କରିଥିଲେ । ବିଦାୟୀ ସାଧାରଣ ସମ୍ପାଦକ ଉପେନ୍ଦ୍ର କୁମାର ବାରିକ ବିଗତ କାର୍ଯ୍ୟକାରିଣୀର କାର୍ଯ୍ୟାଧାର ସର୍ମ୍ପକରେ ସଦସ୍ୟ ମାନଙ୍କୁ ଅବଗତ କରିଥିଲେ । ନବନିଯୁକ୍ତ ସାଧାରଣ ସମ୍ପାଦକ ଧିରେନ ପଲାଇ ତୃଣମୂଳ ସ୍ତରରୁ କ୍ରିକେଟ ପ୍ରତିଭା ମାନଙ୍କୁ ଆବିଷ୍କାର କରି ସେମାନଙ୍କୁ ଉପଯୁକ୍ତ ତାଲିମ ଦେବାକୁ ଓ ଭଦ୍ରକ ଜିଲ୍ଲାରେ କ୍ରିକେଟର ଭିତ୍ତିଭୁମି ଉନ୍ନତ କରିବାକୁ ନୁତନ କାର୍ଯ୍ୟକାରିଣୀ ଉଦ୍ୟମ କରିବ ବୋଲି ପ୍ରତିଶୃତି ଦେବା ସହ ଭଦ୍ରକ କୋଣ ଅନୁକୋଣରୁ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.