ଫେବୃଆରୀ ୧ରୁ ଅଫିସ ଆସିବେ ୧୦୦ ପ୍ରତିଶତ କର୍ମଚାରୀ

ଭୁବନେଶ୍ୱର:(ବସୁନ୍ଧରା) ଆଉ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ସମସ୍ୟା ରହିବ ନାହିଁ । ଆସନ୍ତା ଫେବୃଆରୀ ୧ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ୧୦୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟ କରିବ। କିନ୍ତୁ ପୂର୍ବଭଳି ସମସ୍ତ ଶନିବାର ସରକାରୀ ଛୁଟି ରହିବ। ଫେବୃୟାରୀ ପହିଲାରୁ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁନୂଆ ନିର୍ଦ୍ଦେଶନାମା ଜାରି ହୋଇଛି।

ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟର ସମସ୍ତ ସରକାରୀ ଅଫିସଗୁଡ଼ିକରେ ଫେବୃୟାରୀ ପହିଲାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶତପ୍ରତିଶତ କର୍ମଚାରୀ ଓ ଅଫିସରଙ୍କ ଉପସ୍ଥିତ ରହିବ। ତେବେ ପୂର୍ବଭଳି ସମସ୍ତ ଶନିବାର ରାଜ୍ୟ ତମାମ ଛୁଟି ରହିବ। ଯଦି କୌଣସି ବିଭାଗୀୟ କାର୍ଯ୍ୟାଳୟରେ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତି ଯୋଗୁ ସାମାଜିକ ଦୂରତ୍ୱ ବଜାୟ ରଖିବା ସମ୍ଭବପର ନହେବ ତା’ହେଲେ ସମ୍ପୃକ୍ତ କାର୍ଯ୍ୟାଳୟ କର୍ତ୍ତୃପକ୍ଷ ଚାହିଁଲେ କର୍ମଚାରୀଙ୍କ ଉପସ୍ଥିତିକୁ ନିୟନ୍ତ୍ରଣ କରିପାରିବେ। କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଯୋଗୁ ରାଜ୍ୟର ସରକାରୀ ଅଫିସଗୁଡ଼ିକ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତି ଉପରେ ରାଜ୍ୟ ସରକାର କଟକଣା ଜାରି କରିଥିଲେ।

Leave A Reply

Your email address will not be published.