ଭବାନୀପାଟଣା,(ବସୁନ୍ଧରା): ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ଭଉଣୀ ସୁଶ୍ରୀ ମାୟାବତୀ ଙ୍କ ୬୫ ତମ ଜନ୍ମ ଜୟନ୍ତୀ ଜୋନସ୍ତରରେ ପାଳିତ ହୋଇ ଯାଇଛି। ସ୍ଥାନୀୟ ଭବାନୀପାଟଣା ସହର ପରମାନନ୍ଦପୁରରେ ଥିବା ଏସ୍ ଏନ୍ କନ୍ଫରେନ୍ସ ହଲ୍ ଠାରେ ଆୟୋଜିତ ଏହି ଉତ୍ସବରେ କଳାହାଣ୍ଡି ଜିଲ୍ଲା ସମେତ ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାର ଶତାଧିକ କର୍ମକର୍ତ୍ତା ଓ ସମର୍ଥକ ଯୋଗଦାନ କରିଥିଲେ।

ଏହି ଅବସରରେ ରାଜ୍ୟ ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷ ଧୀମାନ ଟଙ୍କଧର ବାଗ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଆଇନ ଜୀବି ଭୋଦେବ ମହାନନ୍ଦିଆ ମୂଖ୍ୟ ବକ୍ତା, ରାଜ୍ୟ ଉପ-ସଭାପତି ଭବାନୀ ଶଙ୍କର ଝୋଡିଆ, ରାଜ୍ୟ ସମ୍ପାଦକ ଦେବୀ ପ୍ରସାଦ ଭାଟି, ରାୟଗଡ଼ ଜୋନ୍ ସମ୍ପାଦକ ପ୍ରସନ୍ନ ପୂଝାରୀ, ବରିଷ୍ଠ ନେତା ଭାସ୍କର ମୁଟୁକା, ରାୟଗଡ଼ା ଜିଲ୍ଲା ସଭାପତି ଜିତୁ ଜାକେସିକା, କୋରାପୁଟ ଜିଲ୍ଲା ସଭାପତି ଜଗବନ୍ଧୁ ମାଣ୍ଡି, ମାଲକାନଗିରି ଜିଲ୍ଲା ସଭାପତି ଜରା ଶବର ମାଢି, ଜିଲ୍ଲା ସଭାପତି ନୂଆପଡ଼ା କୁନ୍ତୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମଞ୍ଚାସୀନ ଅତିଥି ମାନେ ବହୁଜନ ସମାଜ ପାର୍ଟି ବାବାସାହେବଙ୍କ ଆଦର୍ଶରେ ଅନୁପ୍ରାଣିତ ଓ ସମାଜରେ ଥିବା ସାମାଜିକ, ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ଲୋକଙ୍କ ଅଧିକାର ପାଇଁ ସଂଘର୍ଷ କରିଆସୁଛି ଓ ସମ୍ବିଧାନ ର ସୁରକ୍ଷା ଏହି ଦଳର ମୂଖ୍ୟ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଦେଶର ସାଂପ୍ରତିକ ପରିସ୍ଥିତିରେ ନାଗରିକ ଙ୍କ ଅଧିକାର କ୍ରମଶଃ ବିପଦପୂର୍ଣ୍ଣ ଓ ଅସୁରକ୍ଷିତ ହୋଇ ପଡିଥିବାରୁ ଉଦ୍ବେଗ ପ୍ରକାଶ ପାଇଥିଲା। ସରକାର ଅନୁସୂଚୀତ ଜାତି ଓ ଜନଜାତି ଙ୍କ ସହିତ ଅଳ୍ପସଂଖ୍ୟକ ବର୍ଗର ଲୋକଙ୍କ ଉପରେ ଦିନକୁ ଦିନ ହିଂସା ଓ ଅତ୍ୟାଚାର ବୃଦ୍ଧି ପାଉଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ଚିନ୍ତାର ବିଷୟ ବୋଲି କହିଥିଲେ।

ବହୁଜନ ସମାଜ ପାର୍ଟି ବାବାସାହେବଙ୍କ ବିଶ୍ଵ ଭାତୃତ୍ବ ଓ ଅନଗ୍ରସର ଶ୍ରେଣୀର ଲୋକଙ୍କ ଉତ୍ଥାନ ନିମନ୍ତେ ସମ୍ବିଧାନରେ ସମସ୍ତ ବ୍ୟବସ୍ଥା କରିଥିବା ସତ୍ବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଙ୍କ ଆଦୌ ଆଗ୍ରହ ନ ଥିବାରୁ କଟୁ ସମାଲୋଚନା କରିଥିଲେ। ଶିକ୍ଷା, ସ୍ଵାସ୍ଥ୍ୟ, ନିଯୁକ୍ତି, କୃଷି ଓ କୃଷକ ଙ୍କ ସମସ୍ୟା ପ୍ରତି ଅଣଦେଖା କରି ସରକାରୀ ଉଦ୍ୟୋଗ ଗୁଡ଼ିକର ଘରୋଇକରଣ ପ୍ରତି ପ୍ରବଳ ଆଗ୍ରହ ଯୋଗୁଁ ଦେଶରେ ଅର୍ଥନୈତିକ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି ବୋଲି ଅଭିଯୋଗ କରିଛନ୍ତି।

କାର୍ଯ୍ୟକ୍ରମ କୁ କଳାହାଣ୍ଡି ଜିଲ୍ଲା ବହୁଜନ ସମାଜ ପାର୍ଟିର ସଭାପତି ଜଳନ୍ଧର ବେହେରା ପରିଚାଳନା କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଲୋକସଭା ପ୍ରଭାରୀ ଖଗେଶ୍ବର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
ଭବାନୀପାଟଣାରୁ ବଳମନ୍ତ ନାୟକଙ୍କ ରିପୋର୍ଟ୍