ଜାକର୍ତ୍ତା,(ବସୁନ୍ଧରା): ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଛି ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପପୁଞ୍ଜ। ଏଥିରେ ଅନେକ ବଡ଼ବଡ଼ ବିଲଡିଂ ଓ ପ୍ରତିଷ୍ଠାନ ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ହସ୍ପିଟାଲ ନେବା ଆରମ୍ଭ କରିଛନ୍ତି।
ଗତ ରାତି ପ୍ରାୟ ୧ଟା ବେଳେ ଭୂମିକମ୍ପ ଅନୁଭୂତ ହେବା କ୍ଷଣି ହଜାର ହଜାର ବ୍ୟକ୍ତି ଘରଦ୍ୱାର ଛାଡ଼ି ନିରାପଦ ସ୍ଥାନକୁ ଧାଇଁ ଯାଇଥିଲେ। ଭୂମିକମ୍ପ ଯୋଗୁଁ ଅନ୍ୟୂନ ୬୦ଟି ଘର ଭାଙ୍ଗିଯାଇଥିବା ବିପର୍ଯ୍ୟୟ ପ୍ରଶମନ ଏଜେନ୍ସି କହିଛି।
ପ୍ରାୟ ୭ ସେକେଣ୍ଡ୍ ଧରି ଖୁବ୍ ଜୋର୍ରେ ଅନୁଭୂତ ଏହି ଭୂମିକମ୍ପ ଯୋଗୁଁ ସୁନାମି ଆସିବାର କୌଣସି ଆଶଙ୍କା ନ ଥିବା ଜଣାପଡ଼ିଛି।
ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ହୋଇଥିବା ଭୂମିକମ୍ପ ପରର ଭିଡିଓରେ ଦେଖାଯାଉଛି ଯେ, ଲୋକେ ମୋଟରସାଇକେଲ୍ ଚଳାଇ ଉଚ୍ଚ ସ୍ଥାନମାନଙ୍କୁ ଚାଲିଯାଉଛନ୍ତି। ଗୋଟାଏ ଘରର ଭଙ୍ଗାରୁଜା ସ୍ତପରେ ପୋତି ହୋଇପଡ଼ିଥିବା ଜଣେ ପିଲାକୁ ଲୋକେ ଉଦ୍ଧାର କରୁଥିବାର ଅନ୍ୟ ଏକ ଭିଡିଓ ମଧ୍ୟ ପୋଷ୍ଟ୍ ହୋଇଛି।
ନଷ୍ଟ ହୋଇଥିବା କୋଠାଘରମାନଙ୍କ ମଧ୍ୟରେ ରହିଛି ଦୁଇଟି ହୋଟେଲ୍, ଗଭର୍ଣ୍ଣର୍ଙ୍କ କାର୍ଯ୍ୟାଳୟ ଏବଂ ଗୋଟାଏ ମଲ୍। ପୋଲଟିଏ ଭାଙ୍ଗି ଯାଇଥିବାରୁ ମାମୁଜୁକୁ ଯାତାୟତ କରିବାର ଗୋଟିଏ ରାସ୍ତା ବନ୍ଦ ହୋଇଯାଇଛି।