ମାହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ।

ମାହାଙ୍ଗା ,(ସନ୍ତୋଷ ସାହୁ): ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ କଟକ ଗ୍ରାମାଞ୍ଚଳ ପୁଲିସ୍ ଗତକାଲି ୪ ଜଣଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରାଉଚରା କରିଥିଲା। ଏହାପରେ ଆଜି ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ କରିଛି ମାହାଙ୍ଗା ପୁଲିସ୍‌ । ସିନ୍ ରିକ୍ରିଏସନ୍ ବେଳେ ପୁଲିସ୍‌ ଗୋଟିଏ ଖଣ୍ଡା ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କଟକ ଗ୍ରାମାଞ୍ଚଳ ପୁଲିସ୍‌ ପକ୍ଷରୁ ୫ଟିମ୍ ଗଠନ କରାଯାଇଛି। ଏହି ଟିମ୍‌ ଗତକାଲି ରାତିରେ ମାହାଙ୍ଗର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଏହି ଅଭିଯୁକ୍ତମାନଙ୍କୁ ଉଠାଇନେଇଥିଲା। ପଚରାଉଚରା ପରେ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ସେହିଭଳି ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ଚଢ଼ାଉ ଜାରି ରହିଛି।

ସୂଚନାଯୋଗ୍ୟ, ଶନିବାର ସାଲେପୁର ନଗର ମଣ୍ଡଳର ପ୍ରଭାରୀ କୁଳମଣି ବରାଳ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ବାଇକ୍‌ରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ୍ତ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ୍‌ରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଦୁର୍ବୃତ୍ତମାନେ ପଳାଇଥିଲେ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର କୁଳମଣିଙ୍କୁ ମୃତ ଘୋଷଣା କରିଥିଲେ। ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.