ପୁରୀରେ ହେବ ବିମାନବନ୍ଦର !

ପୁରୀ( ବସୁନ୍ଧରା) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ନେଇ ପ୍ରସ୍ତାବ ରଖିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ । ପ୍ରସ୍ତାବିତ ଏୟାରପୋର୍ଟ ପାଇଁ ପୁରୀରେ ରାଜ୍ୟ ସରକାର ଜାଗା ଚିହ୍ନଟ କରି ସାରିଛନ୍ତି ବୋଲି ଚିଠିରେ ଉଲ୍ଲେଖ ହୋଇଛି । ରେକର୍ଡ ସମୟରେ ଏହି ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇଦେବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ହିନ୍ଦୁ ଧର୍ମର ୪ ଧାମ ମଧ୍ୟରୁ ଜଗନ୍ନାଥ ଧାମ ଅନ୍ୟତମ । ପ୍ରତିବର୍ଷ ବିଶ୍ୱର କୋଣଅନୁକୋଣରୁ ଲୋକେ ପୁରୀ ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସିଥାଆନ୍ତି । ପୁରୀଠାରୁ ୩୫ କିଲୋମିଟର ଦୂରରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ୟ୍ୟମନ୍ଦିର ମଧ୍ୟ ରହିଛି ।

ରାମଚଣ୍ଡୀ-ଚନ୍ଦ୍ରଭାଗା ବେଳାଭୂମି ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ପର୍ୟ୍ୟଟକଙ୍କ ଏକ ପସନ୍ଦର ସ୍ଥାନ । ଏହାବାଦ ପୁରୀ ଦୁଇଟି ରାମସାର ସାଇଟ୍‌- ଚିଲିକା ହ୍ରଦ ଓ ଭିତରକନିକା ଜାତୀୟ ଉଦ୍ୟାନକୁ ସଂଯୋଗ କରୁଛି । ଏହି ଦୁଇଟି ସ୍ଥାନରେ ଅନ୍ତର୍ଜାତୀୟ ଇକୋ-ଟୁରିଜିମ ପାଇଁ ବ୍ୟାପକ ଭିତ୍ତିଭୂମି ରହିଛି । ନିକଟରେ ପୁରୀ ବେଳାଭୂମିକୁ :”ବ୍ଲୁ ଫ୍ଲାଗ ବିଚ୍”ର ‌ ମାନ୍ୟତା ମିଳିସାରିଛି । ପୁରୀରେ ସୁଦୀର୍ଘ ବେଳାଭୂମି ନୂଆ ବିଶ୍ୱ ଅର୍ଥନୈତିକ କାର୍ୟ୍ୟକଳାପ, ଅବସର ବିନୋଦନ ଓ ସାଂସ୍କୃତିକ କେନ୍ଦ୍ର ପାଇଁ ଏକ ପ୍ରକୃଷ୍ଠ ସ୍ଥାନ । କୋଷ୍ଟାଲ ହାଇୱେ ମଧ୍ୟ ଏହି ଅଞ୍ଚଳ ଦେଇ ଯାଉଥିବା ବେଳେ ପାରଦୀପ ବନ୍ଦର ଓ ଅସ୍ତରଙ୍ଗ ବନ୍ଦରକୁ ସଂଯୋଗ କରୁଛି । ତେଣୁ ଆଧ୍ୟାତ୍ମିକ, ପର୍ୟ୍ୟଟନ ଓ ଅର୍ଥନୈତିକ କାର୍ୟ୍ୟକଳାପ ପାଇଁ ପୁରୀ ଏକ ହବ୍‌ରେ ପରିଣତ ହେବା ପାଇଁ ଯଥେଷ୍ଟ ସୁଯୋଗ ରହିଛି ।

Leave A Reply

Your email address will not be published.