ରାଜନୀତି ପାଇଁ ବିରୋଧୀ କୃଷକଙ୍କୁ ଡରାଉଛନ୍ତି

ଭୋପାଳ() କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କେନ୍ଦ୍ର ସରକାର ଓ କୃଷଙ୍କ ମଧ୍ୟରେ ବହୁବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ବାହାରି ପାରିନାହିଁ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶରେ ଚାଷୀମାନଙ୍କୁ ଉଦବୋଧନ ଦେଇଛନ୍ତି ।

ମୋଦି ଭାଷଣରେ କହିଛନ୍ତି ଯେ, ଆମ ସରକାର ଅମଳରେ ସ୍ୱାମୀନାଥନ ରିପୋର୍ଟ ଲାଗୁ ହେବା ସହ ସବୁ ଶସ୍ୟ ଉପରେ ଏମଏସପି ବୃଦ୍ଧି କରାଯାଇଛି । ଚାଷୀଙ୍କୁ ଅଯଥାରେ ଭ୍ରମିତ କରାଯାଉଛି । ରାଜନୀତି ପାଇଁ ବିରୋଧୀ କୃଷକଙ୍କୁ ଡରାଉଛନ୍ତି । ବିରୋଧୀମାନେ ସରକାରଙ୍କର ସଫଳତାକୁ ସହ୍ୟ କରିପାରୁ ନାହାନ୍ତି । ସ୍ୱାମୀନାଥନ ରିପୋର୍ଟ ଅନୁଯାୟୀ ପଦକ୍ଷେପ ନିଆଯାଇଛି । ଗତ ୬ ମାସରେ କୌଣସି ବି ମଣ୍ଡି ବନ୍ଦ ହୋଇନାହିଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୃଷକଙ୍କୁ ଋଣ ଦେବା ନାଁରେ ବିରୋଧୀମାନେ ଲୁଟ୍ କରିଛନ୍ତି । ପ୍ରତିଶ୍ରୁତି ମୁତାବକ ଋଣ ଛାଡ଼ ନକରି ଏହାର ଲାଭ କଂଗ୍ରେସ ଦଳ ଓ ଏହାର ସଂପର୍କୀୟମାନେ ନେଇଛନ୍ତି । କେବଳ ବଡ଼ ଚାଷୀମାନଙ୍କର ଋଣ ଛାଡ଼ କରିଦେଲେ ନିଜର କର୍ତ୍ତବ୍ୟ ଶେଷ ହୁଏନି । ୧୦ ବର୍ଷ ମଧ୍ୟରେ କଂଗ୍ରେସ ଦଳ ମାତ୍ର ଥରେ ୫୦ କୋଟିର ଋଣ ଛାଡ଼ କଥା କହିଥିଲା, କିନ୍ତୁ ଆମ ସରକାରରେ ପ୍ରତି ବର୍ଷ କୃଷକ ସମ୍ମାନ ଯୋଜନାରେ ୭୫ କୋଟି ଦିଆଯାଉଛି ।

ମୋଦି କହିଛନ୍ତି ଯେ, ୟୁପିଏ ସରକାର ଅମଳରେ ୟୁରିଆକୁ ନେଇ ସମସ୍ୟା ଦେଖାଦେଉଥିଲା, ମାତ୍ର ଆଜି ତାହା ସମାଧାନ ହୋଇପାରିଛି । ସବସିଡି କୃଷକଙ୍କ ନାମରେ ଆସୁଥିଲା, କିନ୍ତୁ ଲାଭ ଆଉ ଜଣକୁ ମିଳୁଥିଲା । ଆମ ସରକାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସବସିଡି ଯୋଗାଇ ଦେଇଛି ।

ଏହି ଅବସରରେ ମୋଦି କୃଷକଙ୍କ ହିତ କାମନା କରିବା ସହ ବିରୋଧୀମାନେ ସେମାନଙ୍କୁ ଭ୍ରମିତ ନ କରିବାକୁ କହିଛନ୍ତି । ଏହି ନିୟମ ଲାଗୁ ହେବାର ୩ ମାସ ପରେ ବିରୋଧୀ ଏହି ପ୍ରସଙ୍ଗ ଉଠାଉଛନ୍ତି ।

ଯଦି ପୂର୍ବ ସରକାର କୃଷକମାନଙ୍କ ହିତ ଚିନ୍ତା କରୁଥାନ୍ତେ, ତେବେ ଆଜି ୧୦୦ ଜଳସେଚନ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡ଼ି ରହିନଥାନ୍ତା । ଆମ ସରକାର କୋଟି କୋଟି ଖର୍ଚ୍ଚ ଏହି ମିଶନକୁ ପୂରା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.