ଭୁବନେଶ୍ୱର, () ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ ନିମନ୍ତେ ନ୍ୟାସ୍ନାଲ୍ ସର୍ଭିସ ସ୍କିମ୍ (ଏନ୍ଏସ୍ଏସ୍)ର କଂଟିଜେଂଟ ଚୟନ ନିମନ୍ତେ ଆୟୋଜିତ ୧୦ ଦିନିଆ ପୂର୍ବାଂଚଳ ପ୍ରି ରିପବ୍ଲିକ୍ ଡେ କ୍ୟାମ୍ପ ଉଦ୍ଯାପିତ ହୋଇଯାଇଛି । ନଭେମ୍ବର ୨୨ ତାରିଖରୁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଆରମ୍ଭ ହୋଇଥିବା ଏହି କ୍ୟାମ୍ପ ମଙ୍ଗଳବାର ଶେଷ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ଦେଶ ଗଠନରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କର ଅବଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି ।
ସମାଜ ଗଠନ ନିମନ୍ତେ ଏନଏସ୍ଏସ୍ ଏକ ସଂଗଠିତ ଉଦ୍ୟମ ଏବଂ ସାମାଜିକ ସେବା ମାଧ୍ୟମରେ ଏହା ଯୁବପିଢ଼ିଙ୍କର ଚରିତ୍ର ଗଠନରେ ସହାୟକ ହୋଇଥାଏ ବୋଲି ଓଡ଼ିଶା ସରକାରଙ୍କର ଉଚ୍ଚ ଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ, ପଶୁସମ୍ପଦ ବିକାଶ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇ ବକ୍ତବ୍ୟ ରଖିଛନ୍ତି ।
ଡଃ ସାହୁ କହିଥିଲେ ଯେ ଭାରତରେ ୧୦ ରୁ ୨୪ ବର୍ଷ ମଧ୍ୟରେ ୩୬ କୋଟି ଯୁବପିଢ଼ି ରହିଛନ୍ତି । ଏହା ହେଉଛି ବିଶ୍ୱର ସବୁଠାରୁ ବୃହତମ ଯୁବଶକ୍ତି । ଏମାନେ ଦେଶର ସେବା କରିବା ନିମନ୍ତେ ଆଗକୁ ଆସିବା ଉଚିତ୍ ବୋଲି ସେ କହିଥିଲେ । ଯୁବକମାନେ ଖୁବ୍ ଅନୁଭବୀ ଏବଂ ଏନ୍ଏସ୍ଏସ୍ ଭଳି ସଂଗଠନଗୁଡ଼ିକ ଦେଶ ଗଠନ ଓ ବିକାଶ ନିମନ୍ତେ ସେମାନଙ୍କୁ ବିନିଯୋଗ କରିବା ଉଚିତ୍ ।
ଏହି ଅବସରରେ ବିଶିଷ୍ଟ ସମାଜସେବୀ ତଥା ନୀତି ଆୟୋଗର ଷ୍ଟାଣ୍ଡିଂ କମିଟି ସଦସ୍ୟ ଶ୍ରୀ ଜଗଦାନନ୍ଦ ଏବଂ କଟକ – ଭୁବନେଶ୍ୱର କମିଶନରେଟ୍ ପୁଲିସ୍ କମିଶନର ଡଃ ସୁଧାଂଶୁ ଷଡ଼ଙ୍ଗୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥବା ବେଳେ ସୋଆ କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।
ମନ୍ତ୍ରୀ ଡଃ ସାହୁ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସୋଆର ଉନ୍ନତି ଏବଂ ଉତ୍କର୍ଷତାକୁ ନେଇ ଉଚ୍ଚ ପ୍ରଶଂସା କରିଥିଲେ । ସୋଆ ପକ୍ଷରୁ ଆରମ୍ଭ କରାଯାଇଥିବା ପରିବେଶ ଓ ଜଳବାୟୁ କେନ୍ଦ୍ର ଏକ ସମୟଯୋଗୀ ପଦକ୍ଷେପ ବୋଲି ସେ କହିଥିଲେ ।
କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ଓ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କ୍ୟାମ୍ପରେ ପୂର୍ବାଂଚଳ ଓ ଉତରପୂର୍ବାଂଚଳର ୧୦ ଟି ରାଜ୍ୟରୁ ୧୦୦ ଝିଅ ଓ ୧୦୦ ପୁଅ ଯୋଗ ଦେଇଥିଲେ । ଓଡ଼ିଶା, ପଶ୍ଚିମବଂଗ, ସିକିମ୍, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ତ୍ରିପୁରା, ମଣିପୁର, ମିଜୋରାମ୍ ଏବଂ ନାଗାଲାଣ୍ଡର ସ୍ୱେଚ୍ଛାସେବୀ ମାନେ ଏହି କ୍ୟାମ୍ପରେ ଯୋଗ ଦେଇଥିବା ବେଳେ କୋଭିଡ ଗାଇଡ୍ଲାଇନ୍ ଅନୁଯାୟୀ କ୍ୟାମ୍ପ ପରିଚାଳନା କରାଯାଇଥିଲା । ଏହି କ୍ୟାମ୍ପରୁ ୪୦ ଜଣ ସ୍ୱେଚ୍ଛାସେବୀଙ୍କୁ ସାଧାରଣତନ୍ତ୍ର ଦିବସ ପରେଡ ନିମନ୍ତେ ମନୋନୀତ କରାଯିବ ।
କୋଭିଡ -୧୯ ମହାମାରୀକୁ ଉଲ୍ଲେଖ କରି ଶ୍ରୀ ଜଗଦାନନ୍ଦ କହିଥିଲେ ଯେ ଏହା ହେଉଛି ଏକ ଜୈବିକ ବିପର୍ଯ୍ୟୟ । ସ୍ୱେଚ୍ଛାସେବୀମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ ଠିକ୍ ପ୍ରଶ୍ନ, ଠିକ୍ ସମୟରେ ଏବଂ ଠିକ୍ ବାଟରେ ପଚାରିବାର ଆବଶ୍ୟକତା ରହିଛି । ସ୍ୱେଚ୍ଛାସେବୀମାନଙ୍କୁ ସକ୍ରୀୟ ନାଗରିକ ଭାବେ ଗଢ଼ିତୋଳିବାର ଉପଯୁକ୍ତ ମାଧ୍ୟମ ହେଉଛି ଏନ୍ଏସ୍ଏସ୍ । ବର୍ତମାନ ସାରା ବିଶ୍ୱ ପରିବେଶ ଜନିତ ସମସ୍ୟା ଦେଇ ଗତି କରୁଛି । ଏହାର ମଧ୍ୟ ସଠିକ୍ ମୁକାବିଲା ହେବା ଉଚିତ୍ । ତେବେ ବର୍ତମାନ ଆମ ସମାଜରେ ଡିଜିଟାଲ୍ ଟେକ୍ନୋଲୋଜିର ଅନେକ ପ୍ରଭାବ ପଡିଥିବା ବେଳେ ହିଂସା, ଅସମାନତା ଏବଂ କୋଭିଡ-୧୯ ମହାମାରୀ ସମସ୍ୟା ସହ ଆମେ ଲଢ଼େଇ କରୁଛୁ । ତେଣୁ ଆମେ ଧର୍ମ, ସଂସ୍କୃତି ଏବଂ ଭାଷାର ବିଭିନ୍ନତାକୁ ଭୁଲି ପରସ୍ପରକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଜଗଦାନନ୍ଦ କହିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସ୍ଏସ୍ ଭୁବନେଶ୍ୱର ଶାଖାର ଆଂଚଳିକ ନିର୍ଦ୍ଦେଶକ ଶ୍ରୀମତି ସରିତା ପଟେଲ୍, ଏନ୍ଏସ୍ଏସ୍ର ଆସିଷ୍ଟାଂଟ ପ୍ରୋଗ୍ରାମ୍ ଆଡଭାଇଜର୍ ଶ୍ରୀ କମଳ କୁମାର କର, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ସୋଆର ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡଃ ନଚିକେତା କେ. ଶର୍ମା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ |
Sign in
Sign in
Recover your password.
A password will be e-mailed to you.