ଭୁବନେଶ୍ୱର () ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନ ଘେରାଉ ଓ ପ୍ରତିବାଦ କରାଯାଇଥିଲା । ସମସ୍ତ କୋଭିଡ୍ ନିୟମ ପାଳନ ପୂର୍ବକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଉଥିବା ବେଳେ ସରକାର ପୋଲିସକୁ ଲଗାଇ ଯୁବ କଂଗ୍ରେସ କର୍ମୀମାନଙ୍କୁ ଉଠାଇ ନେବା ସହ ଗିରଫ କରିଥିଲେ । କରୋନା ମହାମାରୀ ସମୟରେ ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିବା ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ସେମାନଙ୍କ ଉପରେ ଏକ ଶକ୍ତ ଆଘାତ ଆଣିଦେଇଛି । ଗଣିତର ଗୋଲକ ଧନ୍ଦାରେ ଟାଟା କମ୍ପାନୀର ସ୍ୱାର୍ଥରେ ସ୍ପଷ୍ଟ ଦିବାଲୋକରେ କୋଭିଡ୍ ନାମରେ ସାଧାରଣ ଗରିବ ଲୋକଙ୍କ ସ୍ୱାର୍ଥକୁ ନଦେଖି ସରକାର ଟିପିସିଓଡିଏଲ୍ ସହ ମିଶି ଲୁଟ୍ ଜାରି ରଖିଛନ୍ତି । ପ୍ରଥମେ ବିଜୁଳି ଦର ୨୦ ପଇସା ବୃଦ୍ଧି ହେଲା, ତା’ପରେ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରି ୧୫୦ ୟୁନିଟ୍ ପର୍ଯ୍ୟନ୍ତ ଟ.୨.୭୦ ବର୍ଦ୍ଧିତ କଲେ । ପରେ ସେହି ସ୍ଲାବ୍କୁ କମାଇ ୧୫୦ ୟୁନିଟ୍ ପରିବର୍ତେ ପ୍ରଥମ ୫୦ ୟୁନିଟ୍କୁ ଟ. ୨.୭୦ ହିସାବରେ ଉପଭୋକ୍ତାଙ୍କ ଠାରୁ ଲୁଟିଲେ । ଯାହା ସାଧାରଣ ଜନତାଙ୍କୁ ବ୍ୟଥିତ କରିଛି । ସବୁଠାରୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏଯାବତ୍ ସମସ୍ତ ଦୋକାନୀ, କ୍ଷୁଦ୍ର ଓ ମଧ୍ୟମ ଧରଣର କଳକାରଖାନା ନିଜର ଆର୍ଥିକ ସ୍ଥିତିକୁ ସୁଧାରି ଅଂଟା ସଳଖି ପାରିନାହାଁନ୍ତି । ଅନ୍ୟପଟେ ପ୍ରବାସୀ ଶ୍ରମିକ ନିଜ ଗୁଜୁରାଣ ମେଂଟାଇବା ପାଇଁ ସକ୍ଷମ ହୋଇନଥିବା ବେଳେ ରାଜ୍ୟର ବହୁ ବେକାରକୀ ଯୁବକ ନିଜ ପରିବାରର ଭାର ବହନ କରିବା ପାଇଁ ମଧ୍ୟ ଅସମର୍ଥ ଅଟନ୍ତି । ଯେଉଁ ସମୟରେ ବିଦ୍ୟୁତ ବ୍ୟବହାରର ୨୨ଭାଗ ଜଳ ବିଦ୍ୟୁତରୁ ଆସୁଛି ଏବଂ ୧୦ ଭାଗ ସୌରଶକ୍ତିରୁ ତ୍ୱରାନ୍ୱିତ ହେଉଛି ସମସ୍ତ ଆବଶ୍ୟକ ବିଦ୍ୟୁତ କ୍ରୟକୁ ମିଶାଇଲେ ୟୁନିଟ୍ ପିଛା କ୍ରୟମୂଲ୍ୟ ସର୍ବମୋଟ ଟ. ୨.୮୦ ପଇସାରୁ ଉର୍ଦ୍ଧ୍ୱ ହେବ ନାହିଁ । ଉତ୍ପାଦନ ଖର୍ଚ୍ଚ ଏତେ କମ୍ ଥାଇ ବିକ୍ରି ଖର୍ଚ୍ଚ ବୃଦ୍ଧି କରିବା ନିଶ୍ଚିତ ଭାବେ ନିନ୍ଦନୀୟ । ରାଜ୍ୟର ବଡ଼ ବିଭିନ୍ନ ବିତରକ କମ୍ପାନୀ ଓ ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ପାଖାପାଖି ୬ହଜାର କୋଟି ଟଙ୍କା ବକେୟା ଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବାକିଥିବା ୨.୫ ହଜାର କୋଟି ଟଙ୍କା ମଧ୍ୟ ଆଦାୟ ହୋଇନାହିଁ । ତେଣୁ ଏହିଭଳି ସ୍ଥଳେ ଘରୋଇ କମ୍ପାନୀମାନଙ୍କ ସ୍ୱାର୍ଥରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧିକୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଦୃଢ଼ ବିରୋଧ କରୁଛି । ଓଡିଶା ବିଜୁଳି ଉତ୍ପାଦନରେ ସ୍ୱାବଲମ୍ବୀ ଥିବାବେଳେ ଅନ୍ୟ ରାଜ୍ୟକୁ ମଧ୍ୟ ବିଦ୍ୟୁତ୍ ଯୋଗାଣ କରୁଛି । ସେହି ରାଜ୍ୟଗୁଡିକ ବିଦ୍ୟୁତ୍ ଦର ରିହାତି ପ୍ରଦାନ କରୁଥିବା ବେଳେ ଓଡିଶା ସରକାର କାହା ସ୍ୱାର୍ଥରେ ବିଦ୍ୟୁତ୍ ଦର ବୃଦ୍ଧି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଂଜନ ଲେଙ୍କା । ଆଗାମୀ ଦିନରେ ଯଦି ବିଜୁଳି ଦର ହ୍ରାସ ନହୁଏ ତେବେ ଯୁବ କଂଗ୍ରେସ ଆନ୍ଦୋଳନକୁ ତୀବ୍ରତର କରିବା ସହ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଆଇନ୍କୁ ହାତକୁ ନେବାକୁ ମଧ୍ୟ ପଛଘୁଂଚା ଦେବନାହିଁ ବୋଲି ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ପ୍ରକାଶ କରିଛନ୍ତି ।
ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସଂକୁନା କହଁର, ମାନସ ରଂଜନ କର, ନଳିନୀକାନ୍ତ ନାୟକ, ସ୍ୱାଗତ କର, ଆର୍ଯ୍ୟବୀର ଲେଙ୍କା, ରଂଜିତ୍ ପାତ୍ର, ମହମ୍ମଦ ଅଲିମ୍, ଜ୍ଞାନରଂଜନ ରାଉତ, ବିଶ୍ୱରଂଜନ ଦାସ, ଆଶୁତୋଷ ଲେଙ୍କା, ଆଦିତ୍ୟ ପରିଡା, ରିତୁଲ୍ ମହାରଣା, ଗୌତମ ଦାସ, ସ୍ମୃତିରଂଜନ ପତି, କାର୍ତିକେଶ୍ୱର କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post